ପୁରୀ,୨୨/୦୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଖୁବ୍ କମ୍ ଦିନ ବାକି । ଏଥିନିମନ୍ତେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିକୁ ମିଳିଲା ଛତିଶା ନିଯୋଗର ଅନୁମୋଦନ । ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ନିବାସ ସଭାକକ୍ଷରେ ବସିଥିବା ବୈଠକରେ ଏହି ଅନୁମୋଦନ ମିଳିଛି ।
ଚଳିତବର୍ଷ ହୋଇଥିବା ବ୍ୟବସ୍ଥାରେ ପୂର୍ବାପେକ୍ଷା ସାମାନ୍ୟ ପରିବର୍ତ୍ତନ ହୋଇଛି । ଶୃଙ୍ଖଳିତ ପହଣ୍ଡି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପହଣ୍ଡି ସମୟରେ ରହିବେ କେବଳ ନିର୍ଦ୍ଦିଷ୍ଟ ତଥା ଆବଶ୍ୟକୀୟ ସଂଖ୍ୟକ ସେବାୟତ । ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ପୁଲିସ ମଧ୍ୟ ଏଥିରେ ସହଯୋଗ କରିବେ । ବରିଷ୍ଠ ଅଧିକାରୀ, ଭୋଇ, ତତ୍ତ୍ୱାବଧାରକ ପ୍ରମୁଖ ଚାରମାଳ ସମୀକ୍ଷା ଓ ନିରୀକ୍ଷଣ ଦାୟିତ୍ୱରେ ରହିବେ । ଅଘଟଣ ଏଡ଼ାଇବା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେହିପରି ସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଜଳ ଲାଗି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଗତବର୍ଷ ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଡ଼ଠାକୁର ପଡ଼ିଯିବା ଘଟଣା ଅଘଟଣ ନୁହେଁ ଏହାକୁ ଦୁର୍ଘଟଣା କୁହାଯିବ । ଏଭଳି ଦୁର୍ଘଟଣା ଏଡ଼ାଇବାକୁ ବରିଷ୍ଠ ସେବାୟତମାନେ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଏହାକୁ ଦୃଷ୍ଟିରେ ପ୍ରଶାସନ ମଧ୍ୟ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ବିନୀତ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।