ଝୁମ୍ପୁରା,୨୨/୦୫: ସାନଯୋଡା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସକାଳୁ ଗାଁ ମୁଣ୍ଡ ଜଙ୍ଗଲ ଆଡ଼କୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଚିପିଣ୍ଡା ଗ୍ରାମର ଟୁରୁ ନାଏକ (୫୦)ଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଚିପିଣ୍ଡା ଫରେଷ୍ଟ ବିଟର ସାନଯୋଡା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ୬ ଟା ପାଖାପାଖି ଟୁରୁ ଗାଁ ମୁଣ୍ଡ ଜଙ୍ଗଲ ଆଡ଼କୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ ସେଠାରେ ଡେରା ପକାଇଥିବା ଏକ ୫ ଟିକିଆ ହତିପଲଙ୍କ ସହ ମୁହାମୁହିଁ ହୋଇ ଯାଇଥିଲେ । ଫଳରେ ହାତୀ ପଲରେ ଥିବା ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତାଟି ତାଙ୍କୁ ଦଳି ଦେଇଥିବାରୁ ସେ ପ୍ରାଣ ହରାଇଥିଲେ । ଗ୍ରାମବାସୀ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବନ ବିଭାଗ ଏବଂ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।