ଭବାନୀପାଟଣା,୨୨/୦୫: କଳାହାଣ୍ଡି ଏଜେନ୍ସି ଫର୍ ଏନଭାରମେଣ୍ଟ ଆଣ୍ଡ ୱାଇଲ୍ଡ ଲାଇଫ୍ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଜୈବ ବିବିଧତା ଦିବସ-୨୦୨୫ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିନସ୍ତ ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ମାଲଗାଁ ଗ୍ରାମ ପଞ୍ଚୟତର କନ୍ଧ ବାନ୍ଦୋପଲା ଠାରେ ଅନୁଷ୍ଠିତ ହୋଇଥିଲା । କେଫ୍ୟୁ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଘାସିରାମ ରଣା, ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଜିତ କୁମାର ନାୟକ, ସମାଜସେବୀ ରଥ ଦୁରିଆ ପ୍ରକୃତିବନ୍ଧୁ ଡୋଳାମଣୀ ସାହୁ ଓ ସ୍ଥାନୀୟ ବରିଷ୍ଠ ନାଗରିକ ଦାମୋଦାର ମହାରଣା ପ୍ରମୁଖ ମଞ୍ଚାସୀନ ହୋଇ ଏହି ଦିବସର ଗୁରୁତ୍ୱ ବର୍ଣନା କରିଥିଲେ ।
ବିଶେଷ କରି ଆଜିର କାର୍ଯ୍ୟକ୍ରମରେ ଚଳିତ ବର୍ଷ ଅନ୍ତରାଷ୍ଟ୍ରୀୟ ଜୈବ ବିବିଧତା ଦିବସର ବିଷୟ "ପ୍ରକୃତି ସହିତ ସମନ୍ୱୟ ଓ ନିରନ୍ତର ବିକାଶ " ଶୀର୍ଷକ ଉପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣାର ଛାତ୍ରୀ କୁମାରୀ ତୃପ୍ତିମୟୀ ଦୁରିଆ ଜୈବ ବିବିଧତା ଉପରେ ସୁନ୍ଦର ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ବୃନ୍ଦ ପ୍ରକୃତି ସହିତ ସମନ୍ୱୟ ଓ ନିରନ୍ତର ବିକାଶ ଉପରେ ଆଲୋଚନା କରିଥିଲେ । ଉଦ୍ଭିଦ ଓ ପ୍ରାଣୀ ଜଗତର ବିଲୁପ୍ତ ପ୍ରାୟ ପ୍ରଜାତିକୁ କିପରି ସୁରକ୍ଷା ଦିଆଯାଇପାରିବ, ତାଉପରେ ବକ୍ତାଗଣ ଗୁରୁତ୍ୱ ଦେଇଥିଲେ । ବିଶେଷ ଭାବରେ ଆଜିର ପିଢ଼ିକୁ ସତର୍କ କରି ଆଗାମୀ ଦିନର ନୂତନ ପିଢ଼ି ପାଇଁ କିଛି ସ୍ୱଚ୍ଛ ପରିବେଶକୁ ସାଇତି ରଖିବାକୁ ବକ୍ତାଗଣ ମତାମତ ରଖିଥିଲେ । ଅନ୍ତରାଷ୍ଟ୍ରୀୟ ଜୈବ ବିବିଧତା ଦିବସ ଅବସରରେ ଅନୁଷ୍ଠିତ ଜନ ସଚେତନତା ସଭାରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ମାଆ ମାନେ ଭାଗ ନେଇ ଯଥା ଶୀଘ୍ର ଏହି କାର୍ଯ୍ୟକ୍ରମକୁ ଲାଗୁ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ । ପ୍ରକୃତିବନ୍ଧୁ ଡୋଳାମଣୀ ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଜିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।