କର୍ଲାମୁଣ୍ଡା,୨୦/୫ : କର୍ଲାମୁଣ୍ଡା ବ୍ଲକର ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ରିଷିଡା l ଏଠାରେ ପଞ୍ଚାୟତ ତରଫରୁ ନିର୍ମିତ ଭଡ଼ା ଦୋକାନ ଗୃହରୁ ନିୟମିତ ଭଡ଼ା ଟଙ୍କା ଆଦାୟ ହେଉନ ଥିବା ଜଣାପଡ଼ିଛି। ଦୋକାନ ଦେଇଥିବା କେତେକ ବେପାରୀମାନେ ନିଜ ଦଖଲରେ ଦୋକାନ ଗୃହ ରଖି ନିଜେ ନିଜେ ଅନ୍ୟ ଲୋକଙ୍କୁ ଭଡ଼ା ସୂତ୍ରରେ ଦେଇଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନେ ଅନ୍ୟପକ୍ଷରେ ନିଜର ଫାଇଦା ଉଠାଉଥିବାବେଳେ ପ୍ରଶାସନ ଭଡ଼ା ନପାଇ ଭକୁଆ ସାଜିଛି l
ଦୋକାନ ଭଡ଼ା ନେଇଥିବା କେତେ ଜଣ ଦୋକାନୀ ଦୀର୍ଘ ବର୍ଷ ହେବ ପଂଚାୟତକୁ ଭଡ଼ା ଦେଇନଥିବା ଜଣାପଡ଼ିଛି। ଅପରପକ୍ଷେ କେତେକ ଦୋକାନୀ ନିଜ ଦୋକାନ ଆଗକୁ ସମ୍ପ୍ରସାରଣ କରି ମୁଖ୍ୟ ରାସ୍ତାଙ୍କୁ ମାଡ଼ି ଯାଉଥିବାରୁ ରାସ୍ତାରେ ଯାନବାହାନ ଯାତାୟାତରେ ଅସୁବିଧା ଦେଖା ଦେଇଛି । ଏ ସଂପର୍କରେ ପଞ୍ଚାୟତ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ରଣାଙ୍କୁ ପଚାରିବାରୁ ଯେଉଁ ଦୋକାନୀ ମାସ ମାସର ଦୋକାନ ଭଡ଼ା ଦେବାରେ ଖିଲାଫି କରିଛନ୍ତି, ସେମାନଙ୍କୁ ହଟେଇ ଅନ୍ଯ ଆଶାୟୀଙ୍କୁ ଦେବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି କହିଛନ୍ତି । ସରପଞ୍ଚ ସେବତୀ ରଣାଙ୍କୁ ପଚାରିବାରୁ ବାରମ୍ବାର କହିଲେ ମଧ୍ୟ କେହି ଜାଣି ବି ନ ଜାଣିଲା ଭଳି ହେଉଛନ୍ତି । ଏଣୁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ ରିଷିଡା ପଞ୍ଚାୟତର ବସଷ୍ଟାଣ୍ଡ ନିକଟ ଏବଂ ପଞ୍ଚାୟତ ସମ୍ମୁଖରେ ବିପଣୀ ଗୃହ ନିର୍ମାଣ ହୋଇଛି।
ଯେଉଁମାନେ ନିୟମିତ ଭଡ଼ା ଦେଉନାହାନ୍ତି ତଥା ଚୁକ୍ତିର ଖିଲାପ କରୁଛନ୍ତି ସେମାନଙ୍କଠାରୁ ଦୋକାନ ଗୃହ ଛଡ଼େଇ ନେଇ ଆଶାୟୀ ଥିବା ଅନ୍ୟ ବ୍ୟବସାୟୀଙ୍କୁ ଗୃହ ଦେବାର ବ୍ୟବସ୍ଥା କରିବାକୁ ଦାବି ହେଉଛି l ଏଥିପ୍ରତି ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି l