ଭବାନୀପାଟଣା ୨୦।୫: ଭବାନୀପାଟଣା ସହରର ପୁରାତନ ଜଳାଶୟ'ଦର୍ପଣ ସାଗର' ଦିନକୁ ଦିନ ପୋତି ହୋଇ ଅସ୍ତିତ୍ବ ହରାଇବାକୁ ବସିଥିବା ବେଳେ ଏହାକୁ ଜମି ମାଫିଆ ମାନେ ଧିରେ ଧିରେ କବଜା କରିବାକୁ ବସିଛନ୍ତି। ଏହାକୁ ରୋକିବା ସହ ଦର୍ପଣ ସାଗରକୁ ପୁନରୁଦ୍ଧାର ପାଇଁ ପ୍ରୟାସ କରିଛନ୍ତି ସହରର ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା। ଆଜି ଏକତ୍ରିତ ହୋଇ ଶ୍ରମଦାନ କରି କଟା ଯାଇଥିବା ଏହାର ହୁଡ଼ାକୁ ମାଟି ପକାଇ ବନ୍ଦ କରିଥିଲେ l ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତି, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ, ଜନ୍ମ ମାଟି ସୁରକ୍ଷା ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ବାସିନ୍ଦା ଓ ସଂଗଠନର କର୍ମୀ ମାନେ ସକାଳ ୬ ଟାରେ ଶ୍ରମଦାନ କରିଥିଲେ l
ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ, ଜିଲ୍ଲା ଆବାହକ ଜ୍ୟୋତ୍ସ୍ନା ବଗର୍ତ୍ତି, ବେନୁ ଦୁର୍ଗା, ମନ୍ଦାକିନୀ ବଣୁଆ, ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତିର ସଭାପତି ସନ୍ତୋଷ ଧଙ୍ଗଡା ମାଝୀ, ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତିର ସଭାପତି ବିଜୟ ସାହୁ ଓ ଆବାହକ ଗିରିଧାରୀ ପାତ୍ର, ସୁରେଶ ମାଝୀ, ପ୍ରଦୀପ ନାୟକ, ଯୋଗେଶ୍ୱରି ଧଙ୍ଗଡା ମାଝି ପ୍ରମୁଖ ଯୋଗ ଦେଇଥିଲେ l ଅପରାହ୍ନରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଜଳାଶୟ ସମେତ ସହରର ଅନ୍ୟ ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ଦାବି କରିଥିଲେ l
ସୂଚନା ଯୋଗ୍ୟ, ଭବାନୀପାଟଣା ସହରରେ ଥିବା ପୁରାତନ ଜଳାଶୟ ଭିତରୁ ଦର୍ପଣ ସାଗର ଏକ ପ୍ରମୁଖ ଜଳ ଉତ୍ସ l ଏହା ଉପରେ ସହରର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରି ଆସୁଛନ୍ତି l ବହୁ ପୂର୍ବରୁ କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ନିର୍ମିତ ଏହି ଜଳାଶୟ ସହରର ଜୀବନ ରେଖା ସଦୃଶ । ମାତ୍ର ଏହା ଆଜି ମୃତ ହେବାକୁ ବସିଛି। ଏହାର ଶଯ୍ୟlକୁ ଜମି ମାଫିଆ ମାନେ କବଳିତ କରି ସାରିଲେଣି l ପୂର୍ବରୁ ସ୍ଥାନୀୟ ବାସିନ୍ଦା ବାରମ୍ଵାର ଜିଲ୍ଲା ପ୍ରଶାସନକୁ ଏହି ଜଳାଶୟକୁ ସୁରକ୍ଷା ଦେବା ପାଇଁ ନିବେଦନ କରି ଆସୁଥିଲେ l ମାତ୍ର ତାହାର ସୁଫଳ ମିଳି ପାରିନାହିଁ l ତେଣୁ ଆଜି ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ଦର୍ପଣ ସାଗର"କୁ ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।