ନୂଆପଡ଼ା,୨୦/୦୫: ଦୂର ହେବ ପାନୀୟ ଜଳ ସମସ୍ୟା । ଯାତାୟତ ସମସ୍ୟା ବି ଦେବ ଦୂର । ରାସ୍ତା ମରାମତି ସହ ଉନ୍ନତ ପ୍ରଣାଳୀରେ କୃଷି ଓ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ । ନୂଆପଡ଼ା ଜିଲ୍ଲା ସ୍ଥାନୀୟ ସଦଭାବନା ସଭାଗୃହରେ ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଛି ।
ସୂଚନା ଅନୁାଯାୟୀ, ଏହି ବୈଠକରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ପ୍ରତିନିଧି ରମାକାନ୍ତସିଂ ଠାକୁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ନୂଆପଡ଼ା ବ୍ଳକ ଅଧ୍ୟକ୍ଷା ତରେଶ୍ୱରୀ ସାହୁ, କୋମନା ବ୍ଳକ ଅଧ୍ୟକ୍ଷା ଅନୁଶୟା କୁମ୍ଭାର, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଭାନୁପ୍ରତାପସିଂ ମାଝି, ମୁରଲୀଧର ଭୋଇ, ଭରତଲାଲ ରାଉତ, ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା, ଡିଏଫଓ ଅଜିଜ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଟିଂରେ କୃଷି, ଶିକ୍ଷା, ପାନୀୟ ଜଳ, ରାସ୍ତା ଉପରେ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।