ପାଳଲହଡ଼ା, ୨୦/୫ : ପାଳଲହଡ଼ା ଥାନା ଫପଣ୍ଡ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥ ପପୁ ଢାବାଠାରେ ମଙ୍ଗଳବାର ଅପରାହ୍ନ ୬ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଢାବାରେ ଏକ ଦଶ ଚକିଆ ଟ୍ରକର ଡିଜେଲ ଟାଙ୍କି ଫାଟିଯାଇଥିଲା । ଫଳରେ ନିଆଁ ଛିଟିକି ଢାବା ନିକଟରେ ଥିବା ୩ଟି ଦୋକାନ ଜଳି ଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ସମୟରେ ହଠାତ୍ ପପୁ ଢାବାଠାରେ ଥିବା ଦଶ ଚକିଆ ଟ୍ରକର ଡିଜେଲ ଟାଙ୍କି ଫାଟିଯାଇଥିଲା । ଏହି ଅଗ୍ନିକାଣ୍ଡ ଏତେମାତ୍ରାରେ ଥିଲା ଯେ ଏଥିରୁ ନିଆଁ ଛିଟିକି ଢାବା ନିକଟରେ ଥିବା ୩ଟି ଦୋକାନ ଜଳି ଯାଇଛି । ମୋଟର ପାର୍ଟ ଦୋକାନ ଦେଇଥିବା ବିହାର ଅଞ୍ଚଳର ଏମଡି ଏହେସନଙ୍କ ଦୁଇଟି ଦୋକାନ ଓ ମଣ୍ଡାଶିଳା ଗ୍ରାମର ଭେରାଇଟି ଷ୍ଟୋର ଦୋକାନ କରିଥିବା ବିନୋଦ ବିହାରୀ ଧଳଙ୍କ ସମୁଦାୟ ତିନୋଟି ଦୋକାନ ସଂପୂର୍ଣ୍ଣ ଜଳିଯାଇଛି । ଏଥିରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଟ୍ରକ୍ ଓ ଦୋକାନ ଘର ତିନୋଟିରେ ନିଆଁ ଲାଗିବାରୁ ଢାବା ମାଲିକ ତୁରନ୍ତ ପାଳଲହଡ଼ା ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଓ ପାଳଲହଡ଼ା ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଗ୍ନିଶମ ବାହିନୀ ଟ୍ରକ ଓ ଦୋକାନ ଗୃହରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରେ ଲାଗିଥିବା ନିଆଁ ଆୟତ୍ତ ହୋଇଥିବାବେଳେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା।