ମାଲକାନଗିରି ୨୦/୫: ପିକ୍ ଅପ୍ ଭ୍ୟାନ ସହ ୧ ଟନ୍ ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ଗଞ୍ଜେଇ ବାହାର ରାଜ୍ୟ ଆନ୍ଦ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା। ପୁଲିସର ସୂଚନା ଅନୁଯାଇ,ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଗୌଡ଼ଗୁଡା ଛକ ନିକଟରେ ମାଲକାନଗିରି ଥାନା ପୁଲିସ୍ ସୋମବାର ରାତ୍ରରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବାଲିମେଳା ଆଡୁ ଦୃତ ଗତିରେ ଏକ ପିକଅପ ଭ୍ୟାନ ଆସୁଥିବାର ଦେଖି ଅଟକାଇ ଥିଲେ। ଯାଞ୍ଜ କରିବାରୁ ସେଥିରେ ଗଞ୍ଜେଇ ବସ୍ତା ଥିବାର ଦେଖି ଗାଡି, ତିନୋଟି ମୋବାଇଲ ଫୋନ, ନଗଦ ୧୨୯୦ ଟଙ୍କା ଜବତ କରିଥିଲେ । ଗଞ୍ଜେଇ ଚାଲାଣ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନାସ୍ଥ ଏମ ପିଭି ୮୧ ଗ୍ରାମର ସୁଦେଶ ମିସ୍ତ୍ରୀ (୨୧), ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନାସ୍ଥ ଏମଭି ୩୨ ଗ୍ରାମର ସୁଜନ ବେପାରୀ (୩୬ )ଦୁଇଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ। ଆଜି ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଗୁଡିକ ଓଜନ କରାଯାଇଥିଲା । ଏହାର ଓଜନ ପାଖାପାଖି ଏକ ଟନ ହୋଇଥିଲା। ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି। ଏହି ଗଞ୍ଜେଇ ଗୁଡିକୁ ଚିତ୍ରକୋଣ୍ଡା ଅଞ୍ଚଳରୁ କ୍ରୟ କରି ଆନ୍ଦ୍ରପ୍ରଦେଶ ରାଜମେନ୍ଦ୍ରିକୁ ନେଉଥିବା ନେଇ ଅଭିଯୁକ୍ତ ମାନେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।