ନୂଆଦିଲ୍ଲୀ: ପାକିସ୍ତାନୀ ସେନାର ଆଉ ଏକ ହୀନ ବୁଦ୍ଧି ଏବେ ସାମ୍ନାକୁ ଆସିଛି। ବାସ୍ତବରେ ପାକିସ୍ତାନୀ ସେନା ନିଜ ଲୋକଙ୍କ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଚାରି ଜଣ ପିଲା ପ୍ରାଣ ହରାଇଛନ୍ତି। ପାକିସ୍ତାନର ଖୈବର ପଖତୁନଖଓ୍ବା ଅଞ୍ଚଳରେ ଏହି ଡ୍ରୋନ ଆକ୍ରମଣ ହୋଇଛି। ଯାହା ପରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ନ୍ୟାୟ ଦାବି କରିଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ସେନା ଉପରେ ସନ୍ଦେହ କରାଯାଉଛି।
ପାକିସ୍ତାନର ଖୈବର ପଖତୁନଖଓ୍ବା ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳକୁ ପାକିସ୍ତାନୀ ତାଲିବାନର ଗଡ଼ ବୋଲି ବିବେଚନା କରାଯାଏ। ଏବେ ଏହା ସ୍ପଷ୍ଟ ହୋଇନି ଯେ, ଉତ୍ତର-ପଶ୍ଚିମର ମୀର ଅଲି ଅଞ୍ଚଳରେ ଏହି ଡ୍ରୋନ୍ ଆକ୍ରମଣ କିଏ କରିଛି । ଏପର୍ଯ୍ୟନ୍ତ ପାକିସ୍ତାନ ସେନା ମଧ୍ୟ ଏହି ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ। ପ୍ରତିବାଦ ସମୟରେ ଜଣେ ସ୍ଥାନୀୟ ନେତା କହିଛନ୍ତି କି, 'ଆମେ କାହାକୁ ଦୋଷ ଦେଉନାହୁଁ, କିନ୍ତୁ ଆମେ ନ୍ୟାୟ ଚାହୁଁ।' ସରକାର ଆମକୁ କହିବା ଉଚିତ ଯେ ଆମ ପିଲାମାନଙ୍କୁ କିଏ ହତ୍ୟା କରିଛି। ପ୍ରତିବାଦକାରୀ ମାନେ ମୃତ ପିଲା ମାନଙ୍କ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ନେତାମାନେ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ଏହି ପ୍ରତିବାଦ ଏକ ସୀମିତ ଅଞ୍ଚଳରେ ହେଉଛି, କିନ୍ତୁ ଯଦି ସରକାର ପ୍ରତିକ୍ରିୟା ନଦିଅନ୍ତି ତେବେ ଆଗକୁ ଏହା ବଡ଼ ପରିମାଣରେ ବ୍ୟାପିପାରେ। ଆମ ନିର୍ଦ୍ଦୋଷ ପିଲା ମାନଙ୍କୁ ହତ୍ୟା କରିବା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ ନହେବା ପର୍ଯ୍ୟନ୍ତ ଆମେ ମୃତଦେହ ଗୁଡ଼ିକୁ କବର ଦେବୁ ନାହିଁ।
ପାକିସ୍ତାନୀ ସେନା ପାକିସ୍ତାନୀ ତାଲିବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଏହି ଡ୍ରୋନ୍ ଆକ୍ରମଣ ପାଇଁ ପାକିସ୍ତାନୀ ସେନାକୁ ସନ୍ଦେହ କରାଯାଉଛି। ମୀର ଅଲି ଅଞ୍ଚଳ ପାକିସ୍ତାନୀ ତାଲିବାନର ଏକ ଗଡ଼। ପାକିସ୍ତାନୀ ତାଲିବାନ ଲଢ଼ୁଆ ମାନେ ପ୍ରାୟତଃ ପାକିସ୍ତାନୀ ସେନାକୁ ଟାର୍ଗେଟ କରନ୍ତି। ଏପରି ପରିସ୍ଥିତିରେ, ଏହା ଆଶଙ୍କା କରାଯାଉଛି ଯେ ପାକିସ୍ତାନୀ ସେନା ପାକିସ୍ତାନୀ ତାଲିବାନକୁ ଟାର୍ଗେଟ କରିଥିଲା ।