ନୂଆଦିଲ୍ଲୀ ୧୦/୦୫: ମଣିଷ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତାର ପ୍ରବେଶ ପରେ ଅନେକ ପରିବର୍ତ୍ତନ ହୋଇଛି । କାର୍ଯ୍ୟାଳୟରେ ଏହି ଟେକ୍ନୋଲୋଜି ଯୋଗୁ କାମ ସହଜ ହୋଇଛି । କିନ୍ତୁ କର୍ମଚାରୀଙ୍କ ଚାକିରି ଉପରେ ବିପଦର ଆଶଙ୍କା ମଧ୍ୟ ବଢ଼ିଛି । ଏହି କ୍ରମରେ ସ୍ୱିଡେନ୍ର ଏକ ଫିନ୍ଟେକ୍ କମ୍ପାନି ଏଆଇକୁ ମଣିଷର ବୁଦ୍ଧିମତାଠୁ ଅଧିକ ମନେକରି ନିଜର କ୍ଷତି କରିବସିଲା । ୨ ବର୍ଷ ମଧ୍ୟରେ ସ୍ଥିତି ଏତେ ଖରାପ ହୋଇଗଲା ଯେ କମ୍ପାନି ପୁଣି ଥରେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି ।
ସ୍ୱିଡେନ୍ର କମ୍ପାନି କ୍ଲାର୍ନାର ଏହି ସ୍ଥିତି ଏଆଇକୁ ପ୍ରାଧାନ୍ୟ ଦେଉଥିବା ଅନ୍ୟ କମ୍ପାନିଙ୍କ ପାଇଁ ବଡ଼ ଶିକ୍ଷା ହୋଇଛି । ଏଆଇ ଦ୍ୱାରା କାମ କରାଇ ଟଙ୍କା ସଞ୍ଚୟ କରିବ ବୋଲି କମ୍ପାନି ଭାବିଥିଲା । ଟଙ୍କା ସଞ୍ଚୟ ହେଲା ସତ, କିନ୍ତୁ ଏଆଇ ଯୋଗୁ ୨ ବର୍ଷରେ କମ୍ପାନିର ଇଜ୍ଜତ ମାଟିରେ ମିଶିଗଲା । ଏଆଇ କୌଶଳ ପ୍ରୟୋଗ କରି କର୍ମଚାରୀଙ୍କ ସଂଖ୍ୟା କମାଇ କ୍ଲାର୍ନା ଖବରର ଶିରୋନାମା ହୋଇଥିଲା । ୨୦୨୩ରେ କର୍ମଚାରୀଙ୍କ ନିଯୁକ୍ତିକୁ ଏହା ସମ୍ପୂର୍ଣ୍ଣ ବନ୍ଦ କରିଥିଲା ଏବଂ ଏଆଇ ଟେକ୍ନୋଲୋଜି ଦ୍ୱାରା ସ୍ୱୟଂଚାଳିତ କାମ ଉପରେ ଜୋର ଦେଇଥିଲା । ଓପନ୍ଏଆଇ ସହ ଭାଗିଦାରୀ କରି ଏହା ଅନେକ ଗ୍ରାହକ ସେବାର ସଂଚାଳନ ଆରମ୍ଭ କରିଥିଲା ।
୨୦୨୩ରେ କ୍ଲାର୍ନାର ସିଇଓ ସେବେଷ୍ଟିଆନ୍ ସିଏମିୟାଟକୋଭସ୍କି ଦାବି କରିଥିଲେ ଯେ ଏଆଇ ମାନବ କର୍ମଚାରୀଙ୍କ ଭଳି ଉତ୍କୃଷ୍ଟ କାମ କରିପାରେ । କମ୍ପାନି କହିଥିଲା ଯେ ତା’ର ଏଆଇ ସିଷ୍ଟମ୍ ୭୦୦ ଗ୍ରାହକ ସେବା ଏଜେଣ୍ଟ୍ଙ୍କ କାମ କରୁଛନ୍ତି । ସେତିକି ନୁହେଁ, ଉତ୍ପାଦନ ଓ ତଥ୍ୟ ବିଶ୍ଳେଷଣ ଭଳି କାମ ଉପରେ କମ୍ପାନିର ୮୫ କୋଟିରୁ ଅଧିକ ଟଙ୍କା ବି ସଞ୍ଚୟ ହୋଇଛି । କିନ୍ତୁ ୨ ବର୍ଷ ମଧ୍ୟରେ କମ୍ପାନିର ଦମ୍ଭ ଭାଙ୍ଗିଯାଇଛି ।
ନିକଟରେ ଫ୍ୟୁଚରିଜମ୍ ଦ୍ୱାରା ରିପୋର୍ଟ କରାଯାଇଥିବା ଏକ ସାକ୍ଷାତକାରରେ କ୍ଲାର୍ନାର ସିଇଓ ସ୍ୱୀକାର କରିଛନ୍ତି, ଏଆଇ ଏଜେଣ୍ଟ୍ମାନେ କରିଥିବା କାମ ଆଶାନୁରୂପ ଗୁଣବତ୍ତାଠୁ କମ୍ ଥିଲା । ସେ ମାନିଲେ ଯେ ଖର୍ଚ୍ଚ କାଟ ଓ ସ୍ୱୟଂଚାଳିତ କାମ ଉପରେ ଅଧିକ ନିର୍ଭରଶୀଳତା କମ୍ପାନିର ଗ୍ରାହକ ଅନୁଭବକୁ ବହୁତ କ୍ଷତି ପହଞ୍ଚାଇଛି । ଏକ ବ୍ରାଣ୍ଡ୍ ଓ କମ୍ପାନି ଦୃଷ୍ଟିରୁ ନିଜ ଗ୍ରାହକଙ୍କୁ ସର୍ବଦା ଏହା କହିବା ଜରୁରି ଯେ ସେମାନଙ୍କ ପାଇଁ ମଣିଷ ସର୍ବଦା ଉପଲବ୍ଧ ରହିବେ । ଏଆଇ ଯୋଗୁ ଗୁଣବତ୍ତା ବହୁତ ତଳକୁ ଖସିଛି ବୋଲି ସେ ସ୍ପଷ୍ଟ କଲେ । ଏଣିକି ମାନବ କର୍ମଚାରୀଙ୍କୁ ନିଯୁକ୍ତ କରିବା କଥା ମଧ୍ୟ କହିଲେ । କମ୍ପାନିରେ ମାନବ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ କରିବା ପାଇଁ କ୍ଲାର୍ନା ଏକ ନୂଆ ଯୋଜନା କରୁଛି । ବ୍ଲୁମ୍ବର୍ଗର ରିପୋର୍ଟ ଅନୁସାରେ, କ୍ଲାର୍ନା ଏବେ ଏକ ନୂଆ ଉପାୟରେ ପରୀକ୍ଷା କରୁଛି । ଏଥିରେ ଲୋକେ ଦୂରରେ ଥାଇ କାମ କରିପାରିବେ । ସୂଚନାଯୋଗ୍ୟ, ୨୦୨୨ରେ କମ୍ପାନିର କର୍ମଚାରୀଙ୍କ ସଂଖ୍ୟା ୫,୫୦୦ ଥିଲା, ଯାହା ୨୦୨୪ ଶେଷ ସୁଦ୍ଧା କମି ୩,୪୦୦ ହୋଇଥିଲା ।