କୋକସରା:୨୧/୦୫ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗାଁର ପୁରୁଣା ଫରେଷ୍ଟ କ୍ବାର୍ଟର ନିକଟରେ ଥିବା ପରିତ୍ୟକ୍ତ କୂଅରୁ ଅକ୍ଷତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । କୋକସରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ଉଦ୍ୟମ କରି ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
ସୂଚନା ମୁତାବକ, ଆମପାଣି ଗାଁର କୁନୁ ପରାଭୋଇଙ୍କ ମାନସିକ ସ୍ଥିତି ଭଲ ନ ଥିବା ବେଳେ ଗତକାଲି ରାତିରେ ସେ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ କୂଅ ନିକଟରେ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଜରୁରୀକାଳୀନ ୧୧୨ ନମ୍ବରରେ ଯୋଗାଯୋଗ କରିଥିଲେ । ଖବର ପାଇ ବିଳମ୍ବିତ ରାତିରେ ଓଆଇସି ପ୍ରଶାନ୍ତ ବାଘ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ କୂଅରୁ ସୁରକ୍ଷିତ ଭାବେ କୁନୁଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆମପାଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।