ଭବାନୀପାଟଣା,୨୧/୦୫: ବୁଧବାର ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପ୍ରଦାନ ପାଇଁ ପ୍ରକାଶ ପାଇଛି ତାଲିକା । ଯେଉଁଥିରେ କଳାହାଣ୍ଡି ଜିଲ୍ଲା ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀଙ୍କ ନାମ ମନୋନୀତ ହୋଇଥିବା ଜାଣଯାଇଛି । ଯୁବ ରେଡକ୍ରସରୁ ପ୍ରଥମ ସ୍ଥାନରେ ସୁଶ୍ରୀ ଭକ୍ତିଲତା ସାହୁ,ଏନଏସ୍ଏସ୍ରୁ ଦୀପକ ରଞ୍ଜନ ବେହେରା ,ଏନ୍ସିସି ହର୍ଷ ମୁଦଗଲ ଓ ସିଦ୍ଧାର୍ଥ ଆଚାର୍ଯ୍ୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ତେବେ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେବା ଓ ତ୍ୟାଗ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଯୁବ ରେଡକ୍ରସ,ଏନ୍ଏସ୍ଏସ୍ ଓ ଏନ୍ସିସିର ସେଚ୍ଛାସେବୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବୁଧବାର ଭୁବନେଶ୍ଵରର ଜୟଦେବ ଭବନରେ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ଏହି ପୁରସ୍କାର ସେଚ୍ଛାସେବୀମାନଙ୍କୁ ପ୍ରଦାନ କରିବେ । ତାଲିକା ପ୍ରକାଶ ପାଇବାପରେ ବିଶ୍ୱବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଯୁବ ରେଡକ୍ରସ, ଏନଏସ୍ଏସ୍ ଓ ଏନସିସିର ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବା ସହିତ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।