କୋକସରା/ଧର୍ମଗଡ଼,୨୦।୫: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜ୍ୟ ରେ ଗ୍ରାମାଞ୍ଚଳରେ ଥିବା ଶ୍ରମିକ ପରିବାର କୁ ରୋଜଗାର ଯୋଗାଇ ଦିଆଯାଉଛି। ପ୍ରତି ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ଅନେକ ସମୟରେ ଶ୍ରମିକଙ୍କ ମଜୁରୀ ମିଳିବାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ସମୟରେ ଶ୍ରମିକ ମାନେ ଏହି ଯୋଜନାରୁ ମୁହଁମୋଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଥାଏ।ତେବେ ନିଜ ପଞ୍ଚାୟତର ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତର ସରପଞ୍ଚ ମନରେଗା ଯୋଜନାରେ ମାଟି କାମ କରୁଥିବା ଶ୍ରମିକଙ୍କ ସହ ମିଶି ମାଟି ବୋହି ଏକ ନିଆଁରା ଉଦାହରଣ ସୃଷ୍ଟି କରିଛନ୍ତି।
ଜୟନ୍ତପୁର ପଞ୍ଚାୟତର ଖଲିଆକଟା ବନ୍ଧ ମାଟିକାମ ବର୍ତ୍ତମାନ ମନରେଗା ଯୋଜନାରେ ଚାଲୁଅଛି। ମଙ୍ଗଳବାର ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ ବନ୍ଧ କାର୍ଯ୍ୟ ନିକଟରେ ପହଞ୍ଚି ଶ୍ରମିକ ପରିବାର ସହ ମିଶି ମାଟି ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ। ସରପଞ୍ଚ ହେଲେ ବି ଜଣେ ମଣିଷ, ଶ୍ରମିକ ମାନେ ହେଉଛନ୍ତି ଆମ ପଞ୍ଚାୟତର ମେରୁଦଣ୍ଡ । ସେମାନଙ୍କ ବିନା କୌଣସି ଉନ୍ନୟନ କାର୍ଯ୍ୟର ପରିକଳ୍ପନା ଅସମ୍ଭବ ବୋଲି କହିଛନ୍ତି। ଶ୍ରମିକ ଙ୍କ ସହ ମିଶି ମାଟି ବୋହି ନିଜକୁ ନିଜେ ବହୁତ ଖୁସି ଅନୁଭବ କରିବା ସହ ଆମେ ସମସ୍ତେ ସମାନ ବୋଲି କହିଛନ୍ତି।