କଟକ, ୨୨/୦୫: କଟକ ଲିଙ୍କ ରୋଡ଼ ସ୍ଥିତ ICICI ବ୍ୟାଙ୍କରୁ ଋଣ ନାଁରେ ଜାଲିଆତି କରିବା ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଅଭିଯୁକ୍ତ ମନୋଜ୍ଞ ପଟ୍ଟନାୟକକୁ ଗିରଫ କରାଯାଇଥିଲା । ନିମ୍ନ ଅଦାଲତରୁ ଜାମିନ ଖାରଜ ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ.କେ.ପାଣିଗ୍ରାହୀ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତକୁ କଟକ ଲିଙ୍କ୍ ରୋଡ଼ ସ୍ଥିତ ICICI ବ୍ୟାଙ୍କରେ ଦୁଇ ମାସ ଧରି ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ବ୍ୟାଙ୍କ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ଥାନୀୟ ଥାନା ଅଧିକାରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସେ ଏହି କାମ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବେ । ଏଥିସହ ଅଭିଯୁକ୍ତ ମଧ୍ୟ ତଦନ୍ତରେ ସହଯୋଗ କରିବେ । ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବେ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏଥିରୁ କୌଣସି ଗୋଟିଏ ସର୍ତ୍ତରେ ଖିଲାପ କଲେ ଜାମିନ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।