କଟକ,୨୦।୫: ନୂତନ ରାଜସ୍ବ ଗ୍ରାମ ଗଠନ ନେଇ ବିରୋଧ । କଟକ ଜିଲ୍ଲା ବାଙ୍କୀ ତହସିଲ ଅନ୍ତର୍ଗତ ରତାଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଉଲ୍ଲେଖଯୋଗ୍ୟ, ଦୀର୍ଘ ବର୍ଷ ହେବ ଗୋବିନ୍ଦପୁର ରାଜସ୍ବ ଗାଁରେ ରତାଗଡ଼ ଓ ନୂଆଗାଁ ମିଶି ରହିଛି । ସରକାର ଏବେ ରତାଗଡ଼କୁ ଏକ ସ୍ବତନ୍ତ୍ର ରାଜସ୍ବ ଗାଁ ଗଠନ କରିବାକୁ ଯୋଜନା କରୁଛନ୍ତି । ଯାହାକୁ ଗୋବିନ୍ଦପୁର ଗ୍ରାମବାସୀ ବିରୋଧ କରିଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗୋବିନ୍ଦପୁର ମୌଜାରେ ରହିଥିବା ସରକାରୀ ପତିତ ଜମି, ପ୍ରାଥମିକ ବିଦ୍ୟାଳୟ, ଶ୍ମଶାନ, ଖେଳ ପଡିଆ, ଜଳାଶ୍ରୟ, ପଶୁ ଚିକିତ୍ସା କେନ୍ଦ୍ର, ଏଏନ୍ଏମ ସେଣ୍ଟର୍ ଆଦିକୁ ରତାଗଡ଼ ରାଜସ୍ବ ଗ୍ରାମରେ ଅନ୍ତର୍ଭୁକ୍ତ କରିବା ପାଇଁ ଚକ୍ରାନ୍ତ ଚାଲିଛି । ଯାହା ଫଳରେ ଗୋବିନ୍ଦପୁର ନିଜର ଅସ୍ତିତ୍ବ ହରାଇବ । ରତାଗଡ଼ ରାଜସ୍ବ ଗ୍ରାମ ହେଉ କିନ୍ତୁ ଗୋବିନ୍ଦପୁର ମୌଜାରୁ କୌଣସି ସରକାରୀ ସମ୍ପତ୍ତି ଏଥିରେ ଅନ୍ତର୍ଭୁକ୍ତ କରାନଯାଉ । ଯଦି ଏଭଳି କରାଯିବ ତେବେ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପକ୍ଷରେ ରତାଗଡ଼ ରାଜସ୍ବ ନିରୀକ୍ଷକ ଗୋପୀନାଥ ରାଉତରାୟ କହିଛନ୍ତି, ଏ ସମ୍ପର୍କରେ ବାଙ୍କୀ ତହସିଲଦାର ନିଷ୍ପତ୍ତି ନେବେ ।