କଟକ ୧୯/୦୫: ଗଣ ଦୁଷ୍କର୍ମ ଶିକାର ହୋଇଥିବା ନୟାଗଡ ଅଂଚଳର ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକିନେବା ଘଟଣାରେ ଲାଲବାଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନରସିଂହପୁରର ସଂଗୀତା ସିଂହ ଏବଂ କଟକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଡାଟାଏଣ୍ଟ୍ରି ଅପରେଟର ଥିବା ଜଗତସିଂହପୁରର ଅମୀୟ କୁମାର ସାହୁ। ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୋଲିସର ସୂଚନାନୁସାରେ ଅଭିଯୋଗକାରୀ ଏକ ଜଘନ୍ୟ ଅପରାଧର ଶିକାର ହୋଇଥିବାରୁ କ୍ଷତିପୂରଣ ପାଇବାକୁ ହକଦାର ଥିଲେ । ତେବେ ଅଭିଯୁକ୍ତ ଅମୀୟ କୁମାର ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡିଇଓ ଏବଂ ଅଫିସ୍ ସହାୟକ ଭାବରେ କାର୍ଯ୍ୟ କରୁଥିଲେ । ସେ ସଂଗୀତା ସିଂହ ଏବଂ ଅନ୍ୟ ମାନଙ୍କ ସହିତ ମିଶି ପୀଡିତାଙ୍କ ଠାରୁ ୧ ଲକ୍ଷ ଟଙ୍କା ହଡପ ପାଇଁ ଷଡ଼ଯନ୍ତ୍ର କରିଥିଲେ। ସଂଗୀତା ସିଂହ ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡା ଡିହାର ଜନତା ନୋଡାଲ୍ ବିଦ୍ୟାପୀଠରେ ପି.ଇ.ଟି ଭାବରେ କାମ କରୁଛନ୍ତି। ସଂଗୀତା ନିଜକୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଭାବରେ ପରିଚୟ ଦେଇଥିଲେ। ସେ ପୀଡିତାଙ୍କୁ ମଞ୍ଜୁର ହୋଇଥିବା ରାଶିରୁ ୧.୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ନଚେତ୍ ମିଳିବାକୁ ଥିବା ୩ ଲକ୍ଷ ୭୫ ହଜାର ଟଙ୍କାରୁ ୧ ଲକ୍ଷ କାଟି ଦିଆଯିବ ବୋଲି ଧମାକାଇଲେ । ଫଳରେ ପୀଡିତା ବାଧ୍ୟ ହୋଇ ତିନୋଟି ପୃଥକ ଟ୍ରାଞ୍ଜାକ୍ସନରେ ଦୁଇଟି ଭିନ୍ନ ଫୋନ ପେ ନମ୍ବରକୁ ୧ ଲକ୍ଷ ଟଙ୍କା ପଠାଇଥିଲେ । ପରେ ଟଙ୍କା ଦେବା ଘଟଣାକୁ ନେଇ ପୀଡିତାଙ୍କ ମନରେ ସନ୍ଦେହ ହେବାରୁ ସେ ଲାଲବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।