ପାରଳାଖେମଣ୍ଡି/ନୂଆଗଡ଼,୧୯/୫: ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶଙ୍କର କେରକେଟା ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ରହି ପି.ଅନ୍ତରଡ଼ା ଗ୍ରାମ ପଞ୍ଚାୟତ ସମେତ କେରଣ୍ଡଙ୍ଗ, ନୂଆଗଡ ଓ ଲୁହାଙ୍ଗର ପଞ୍ଚାୟତର ସମୁଦାୟ ୪୬ ଟି ଅଭିଯୋଗ ପତ୍ର ଶୁଣାଣି କରିଥିଲେ। ସେଥି ମଧ୍ୟରୁ ୧୩ଟି ବ୍ୟକ୍ତିଗତ ଅଭିଯୋଗ ସମସ୍ୟା,୩୩ଟି ଗ୍ରାମ ଭିତ୍ତିକ ସମସ୍ୟା ଥିଲା ବେଳେ ୪ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଅଭିଯୋଗ ଶୁଣାଣିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ,ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ଆଦି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ସଂଯୁକ୍ତ ଜନ-ଅଭିଯୋଗ ଶୁଣାଣୀରେ ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ପ୍ରଧାନ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର,ତହସିଲଦାର ମୋନାଲିସା ଆଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରଖ ଆଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସହ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।