ରାଜଗାଙ୍ଗପୁର ୧୯/୫: ଗୃହ ପ୍ରବେଶ ଉତ୍ସବ ପାଇଁ ଛେଳି କିଣି ବାଇକ ଯୋଗେ ଘରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଅବସରପ୍ରାପ୍ତ ପଶୁ ଡାକ୍ତରଖାନା କର୍ମଚାରୀ। ରାଜଗାଙ୍ଗପୁର ଜରେଇକେଲା ପଞ୍ଚାୟତ ପାହାଡିଆ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ସେ ବାଇକରୁ ଖସିପଡିଥିଲେ। ଫଳରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରାକ୍ଟର ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ସିଆମାଲ ଗ୍ରାମର ହରଦୁଗାଁନ କୁଜୁର ( ୬୨) । କୁତ୍ରା ବ୍ଲକ ଖତକୁରବାହାଲ ପଶୁ ଚିକିତ୍ସାଳୟରୁ ଜଣେ ଭେଟନାରୀ ଟେକ୍ନିସିଆନ ଭାବରେ ସେ ଅବସର ନେଇଛନ୍ତି। ଅବସର ପରେ ରାଜଗାଙ୍ଗପୁର ୱାର୍ଡ ନଂ୬ ବଗିଚାପଡାରେ ଗୃହ ନିର୍ମାଣ କରିଥିଲେ। ଆସନ୍ତାକାଲି ତାଙ୍କ ଗୃହ ପ୍ରତିଷ୍ଠା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା।
ସୂଚନା ମୁତାବିକ ମୃତ ହରଦୁଗାଁନଙ୍କର ଆସନ୍ତାକାଲି ଘର ପ୍ରତିଷ୍ଠା ଥିବାରୁ ଆଜି ସକାଳୁ ଜଣେ ସମ୍ପର୍କୀୟଙ୍କୁ ଧରି ଏକ ବାଇକ ଯୋଗେ ସକାଳୁ ରାଜଗାଙ୍ଗପୁର ଜରେଇକେଲା ବନଖମନକୁ ଛେଳି କିଣିବାକୁ ଯାଇଥିଲେ। ଛେଳି କିଣି ବାଇକ ଯୋଗେ ଉଭୟ ଘରକୁ ଫେରୁଥିବା ସମୟରେ ଜରେଇକେଲା ଘାଟିରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା। ଏହି ସମୟରେ ସାମ୍ନା ପଟୁ ଯାଉଥିବା ଏକ ଟ୍ରାକ୍ଟର ଡାଲା ଚକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଉକ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ନଥିବାରୁ ବହୁ ସମୟ ପରେ ତାଙ୍କ ପରିବାର ଲୋକ ଘଟଣାର ଖବର ପାଇ ମୃତଦେହକୁ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସିକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ରାଜଗାଙ୍ଗପୁର ଥାନା ରେ ପରିବାର ଲୋକ ଏତଲା ଦେଇଛନ୍ତି ।