କନ୍ଧମାଳ ୧୯/୦୫: ପରକୀୟା ପ୍ରୀତି କାଳ ହୋଇଛି । ସ୍ୱାମୀର ପରକୀୟା ପ୍ରୀତି ସାମ୍ନାକୁ ଆସିବା ପରେ ରାସ୍ତା ମଝିରେ ଟଣା ଓଟରା କରିଛି ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲ୍ୟାମ୍ପ ଅଞ୍ଚଳରୁ ।
ଦାରିଙ୍ଗବାଡି ଥାନା ଦାସିକେତା ଗାଁର ଅଭିଷେକ ପ୍ରଧାନ। ୫ ବର୍ଷ ପୂର୍ବେ ସିଆଙ୍ଗବାଲି ଗ୍ରାମର ମେରୀକା ମଲିକଙ୍କୁ ବିବାହ କରିଥିଲେ । ବର୍ଷେ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ପୁଅର ଜନ୍ମ ହେବା ପରେ ସ୍ତ୍ରୀ ପ୍ରତି ସ୍ବାମୀ ଅଭିଷେକ ପ୍ରଧାନର ଧୀରେ ଧୀରେ ଭଲ ପାଇବା କମିବାକୁ ଲାଗିଲା । ଅଭିଷେକଙ୍କର ଅନ୍ୟ ମହିଳାଙ୍କ ପ୍ରତି ଦୁର୍ବଳତା ରହିଥିବା ଯୋଗୁଁ ନିଜ ସ୍ତ୍ରୀଙ୍କ ପାଖରେ ରହିବାକୁ ପସନ୍ଦ କଲା ନାହିଁ । ଅନ୍ୟ ଜଣେ ମହିଳାଙ୍କ ସହ ଭୁବନେଶ୍ୱରର ବିଭିନ୍ନ ଲଜ୍ ସହ ଘର ଭଡ଼ା ନେଇ ଶାରୀରିକ ସମ୍ପର୍କ ରଖୁଥିଲା । ଏନେଇ ଖବର ଜଣାପଡିବା ପରେ ସ୍ତ୍ରୀ ମେରୀକା ଧୀରେ ଧୀରେ ସ୍ୱାମୀର ପରାକିଆ ପ୍ରୀତିର ଗୁମର ଖୋଲିଥିଲେ ।
ସ୍ୱାମୀର ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରହିଥିବା ଯୋଗୁଁ ସ୍ତ୍ରୀକୁ ଆଦୌ ପଚାରି ନଥିଲା ଅଭିଷେକ୍ । ଏଭଳି କି ମେରୀକାଙ୍କୁ ଘରୁ ମଧ୍ୟ ତଡ଼ି ଦେଇଥିଲା ରସିକିଆ ସ୍ବାମୀ । ଏହାପରେ ମେରୀକା ନିଜର ୪ ବର୍ଷର ଶିଶୁକୁ ଲାଳନପାଳନ କରିବା ପାଇଁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିଲେ । କିଛି ଦିନ ହେବ ମେରୀକା ଗାଁକୁ ଫେରିଥିବା ଜାଣି ଅଭିଷେକ୍ ପୁଅକୁ ଖେଳନା କିଣିଦେବା ପାଇଁ ଦାରିଙ୍ଗବାଡି ଆସିଥିଲା। ଏହାପରେ ସେ ମେରୀକାଠାରୁ ମୋବାଇଲ୍ ଛଡ଼ାଇ ନେଇଯାଇଥିଲା। ଯାହାପରେ ଆରମ୍ଭ ହୋଇଥିଲା ଆକ୍ରମଣ ପ୍ରତି ଆକ୍ରମଣ । ସ୍ୱାମୀର କଲର ଧରି ଟଣା ଓଟରା କରିଥିଲା ମେରୀକା । ଏହା ଦେଖି ଶହ ଶହ ଲୋକଙ୍କ ଭିଡ଼ ଜମି ଥିଲା । ସ୍ତ୍ରୀ ମେରୀକା ବାଧ୍ୟ ହୋଇ ନ୍ୟାୟ ପାଇଁ ଆଇନ ଆଶ୍ରୟ ନେବେ ବୋଲି କହିଛନ୍ତି ।