ଗୁଣପୁର, ୧୯/୦୫ : ରାୟଗଡ଼ା ଜିଲ୍ଲା ଗୁଣପୁରର ବହୁ ଚର୍ଚ୍ଚିତ ‘ଆଶା’ ସ୍ଵେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲା। ଅଭିଯୋଗକାରୀ ସତ୍ୟ ପ୍ରକାଶ ଶତପଥୀଙ୍କ ବୟାନ ରେକର୍ଡ କରାଯାଇଛି। ଗୁଣପୁର ଏଡିଜେ ଦେବଦତ୍ତ ପଟ୍ଟନାୟକ ଅଭିଯୋଗକାରୀଙ୍କ ବୟାନ ଲିପିବଦ୍ଧ କରିଛନ୍ତି। ଅଭିଯୋଗକାରୀ ଘଟଣା ଦିନର ସମସ୍ତ ବିଷୟ ପ୍ରକାଶ କରଛନ୍ତି ।
ସୂଚନାନୁଯାୟୀ, ସାକ୍ଷ୍ୟ ଗ୍ରହଣ ସମୟରେ ୬ ଜଣ ଅଭିଯୁକ୍ତ କାଠଗଡାରେ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାହୁ ଏଵଂ ଅଭିଯୁକ୍ତଙ୍କ ପାଇଁ ଉମା ଚରଣ ପଟ୍ଟନାୟକ, ଫଣୀ ଭୂଷଣ ପଟ୍ଟନାୟକ ଏଵଂ ଅଶୋକ ଧୂଳି ମାମଲା ପରିଚାଳନା କରିଥିଲେ। ଜମିଜମା ବିବାଦରୁ ୩୦ ଲକ୍ଷ ଟଙ୍କାର ସୁପାରି ଡିଲ୍ କରାଯାଇ ଗୌରୀ ମିଶ୍ରଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସେତେବେଳେ ଜଣାପଡ଼ିଥିଲା। ୨୦୨୩ ମେ’ ୧୩ ତାରିଖ ରାତି ସାଢେ ୯ ଟାରେ ବଂଶଧାରା ସେତୁ ଉପରେ ଗୌରୀ ମିଶ୍ର କିଛି ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଭି. ରାଜେଶ, ମୁନା ଲିମା ଓ କାହ୍ନା ପ୍ରଧାନ ଏକ ବାଇକ୍ରେ ସେଠାରେ ପହଞ୍ଚିଥିଲେ। ଡିଲ୍ ମୁତାବକ ରାଜେଶ ବନ୍ଧୁକ ବାହାର କରି ଗୌରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।