ଯାଜପୁର, ୧୯/୦୫ : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ । ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରୀ ନୂଆ ଗାଁର ଉତ୍ତମ ସିଂକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶରତ କୁମାର ଦେହୁରି। ଏହା ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୨ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପୀଡ଼ିତା ନାବାଳିକାଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ପାର୍ଥ ସାରଥୀ ରାୟ ।
ସୂଚନାନୁଯାୟୀ, ୨୦୨୪ ମସିହା ଅଗଷ୍ଟ ମାସ ୧୮ ତାରିଖ ବିଳମ୍ଵିତ ରାତିରେ ଚିତ୍ରୀ ନୂଆ ଗାଁର ଜନୈକା ନାବାଳିକା ସିଲେଇ ମେସିନ୍ କାମ ସାରି ଶୋଇଥିବା ବେଳେ ଉତ୍ତମ ସିଂ କାନ୍ଥ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲା। ଏହାପରେ ୧୪ ବର୍ଷୀୟା ନାବାଳିକାଙ୍କ ମୁହଁରେ କପଡ଼ା ଭର୍ତ୍ତି କରି ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତାଙ୍କ ମାଆ ୧୯ ତାରିଖରେ ଟମକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୨୧ ତାରିଖରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ ଶରତ କୁମାର ଦେହୁରୀ ଉତ୍ତମ ସିଂକୁ ୨୦ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୨ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ ।