ନୂଆଦିଲ୍ଲୀ, ୧୯/୦୫ : ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାର ଦ୍ଵାରପୁଡ଼ି ଗାଁରେ ଅଭାବନୀୟ ଘଟଣା। ପାର୍କିଂ ହୋଇଥିବା କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୪ ଶିଶୁ। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଓ ୩ ଜଣ ଶିଶୁକନ୍ୟା ରହିଥିବା ଜଣାପଡିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବିଜୟନଗରମ୍ ଜିଲ୍ଲାର ଦ୍ଵାରପୁଡ଼ି ଗାଁର ୪ ଜଣ ଶିଶୁ ବାହାରେ ଖେଳୁଥିବା ସମୟରେ ପାର୍କିଂ ହୋଇଥିବା ଏକ କାର ଭିତରକୁ ଚାଲିଯାଇଥିଲେ । ଡୋର୍ ବନ୍ଦ କରିବା ପରେ ଆଉ ଖୋଲିପାରି ନଥିଲେ। ପିଲାମାନଙ୍କୁ ନପାଇ ସେମାନଙ୍କ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ଗାଡ଼ି ଭିତରୁ ସମସ୍ତଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୀର୍ଘ ସମୟ ଧରି ଗାଡିରେ ବନ୍ଦ ରହିବା ଯୋଗୁଁ ୪ ଶିଶୁ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।
ଏପରି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଗତବର୍ଷ ଗୁଜରାଟର ଅମରେଲି ଜିଲ୍ଲାରେ ସମାନ ଘଟଣା ଘଟିଥିଲା। ୪ ଜଣ ଶିଶୁ ମସ୍ତିରେ ଖେଳକୁଦ କରି ଏକ କାର୍ ଭିତରେ ପଶି ଡୋର୍ ଲକ୍ କରି ଦେଇଥିଲେ। ଶ୍ଵାସରୁଦ୍ଧ ହୋଇ ୪ ଶିଶୁଙ୍କର ମୃତ୍ୟୁ ଘଟିଥିଲା।