କଣିହାଁ,୨୨/୦୫(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ଥାନା ଏନଟିପିସି ଦ୍ୱାରା କ୍ଷତିଗ୍ରସ୍ତ ମସୁଣିହତା ପ୍ରଜା ଗୁରୁବାର ଆସପଣ୍ଡ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।ଏନଟିପିସି ପ୍ରକଳ୍ପରେ ମେଣ୍ଟେନାନ୍ସ ନିଯୁକ୍ତି, ୧୮ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ବିବେଚିତ ପରିବାର ବର୍ଗଙ୍କୁ ପ୍ୟାକେଜ ଆଦି ଦୁଇ ଦଫା ଦାବିରେ ଗୁରୁବାର ସକାଳ ୧୦ଟାରୁ ମସୁଣିହତା ଛକ ସିଭିଲ କୁଡିଆଠାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ପାଣିଙ୍କ ନେତୃତ୍ୱରେ ଶତାଧିକ ମହିଳା ଏବଂ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆନ୍ଦୋଳନ ଯୋଗୁଁ ଏନଟିପିସି ଷ୍ଟେଜ୍ -୨ ଆସପଣ୍ଡ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ଏନଟିପିସି ଆସପଣ୍ଡ ସମ୍ପ୍ରସାରଣ ପାଇଁ ପୁରୁଷାନୁକ୍ରମେ ଗଚ୍ଛିତ ଥିବା ଜମିକୁ ଜାତୀୟ ସ୍ୱାର୍ଥ ପାଇଁ ଏନଟିପିସି ପ୍ରକଳ୍ପକୁ ଟେକିଦେଲୁ । ଆମ୍ଭର ଏହି ଦୁଇ ଦଫା ନ୍ୟାର୍ଯ୍ୟଦାବି ହାସଲ ହରାଇ ବହୁବାର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏନଟିପିସି ପକ୍ଷରୁ ସମାଧାନର ପ୍ରତିଶ୍ରୁତି ଦେଇଥିଲା । ପ୍ରତିଶ୍ରୁତି ପାଳନ ନକରିବା ଫଳରେ ଗତ ମାର୍ଚ୍ଚ ୨୮ତାରିଖରେ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ସମାଧାନ ବୈଠକ ବସିଥିଲା । ସେହି ଦିନଠାରୁ ପନ୍ଦର ଦିନ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ସମାଧାନ ନେଇ ଏନଟିପିସି କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏନଟିପିସି କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡାଇ ଆମ୍ଭମାନଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।