ଅନୁଗୁଳ,୧୬/୫(ବ୍ୟୁରୋ): ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ ନେଉନି ସାଇବର ଠକେଇ। ଗତକାଲି ଜଣେ ଯୁବକ ଅନଲାଇନ୍ ଲୁଟେରାଙ୍କ ହାବୁଡ଼ରେ ପଡ଼ି ୧୫ ଲକ୍ଷ ଟଙ୍କା ହରାଇଥିଲେ। ଏହି ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଥିବା ବେଳେ ଶୁକ୍ରବାର ଆଉ ଏକ ଠକେଇ ସାମ୍ନାକୁ ଆସିଛି। ନକଲି ସେୟାର ମାର୍କେଟରେ ଟଙ୍କା ନିବେଶ କରି ଫସିଛନ୍ତି ଯୁବକ। ଅଦୃଶ୍ୟ ଲୁଟେରା ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୬୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସାଇବର ଥାନା ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ଅନୁସନ୍ଧାନ ଚଳାଇଛି
ପୁଲିସ୍ ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ଯୁବକ ହେଲେ ସଂଗ୍ରାମ ସିଂ। ତାଙ୍କ ପ୍ରକୃତ ଘର କଟକ ଅଞ୍ଚଳରେ ହୋଇଥିବା ବେଳେ ସେ ନାଲ୍କୋରେ ରହୁଛନ୍ତି। ତାଙ୍କ ହ୍ଵାଟସଆପକୁ ଏକ ଅଜଣା ନମ୍ବରରୁ ଏକ ମେସେଜ୍ ଆସିଥିଲା। ସେୟାର ମାର୍କେଟ୍ରେ ଟଙ୍କା ନିବେଶ କଲେ ଅଧିକ ରିଟର୍ଣ୍ଣ ଆସିବ ବୋଲି ସାଇବର ଏକ ଲୋଭ ଦେଖାଇଥିଲା। ଏମିତିକି ତାଙ୍କୁ ହ୍ଵାଟ୍ସଆପ୍ ଗ୍ରୁପ୍ରେ ସାମିଲ କରିଥିଲା। ଗ୍ରୁପ୍ରେ ୨୦୦ରୁ ଅଧିକ ସଦସ୍ୟ ରହିଥିଲେ।
ଭଲ ରିଟର୍ଣ୍ଣ ପାଇବା ଲୋଭରେ ସଂଗ୍ରାମ ସାଇବର ଏ କଥାକୁ ବିଶ୍ଵାସ କରି ଟଙ୍କା ଲଗାଇଥିଲେ। ଆରମ୍ଭରୁ ତାଙ୍କୁ ଭଲ ରିଟର୍ଣ୍ଣ ମିଳିଥିଲା। ପରବର୍ତ୍ତୀ ସମୟରେ ସେ ଅଧିକ ଟଙ୍କା ଲଗାଇବା ଆରମ୍ଭ କରିଥିଲେ। ମାତ୍ର କୌଣସି ଟଙ୍କା ଫେରସ୍ତ ପାଇନଥିଲେ। ସେ ମୋଟ୍ ୨ ଲକ୍ଷ ୬୭ ହଜାର ଟଙ୍କା ନିବେଶ କରିଥିବା ବେଳେ ତାଙ୍କୁ ବୋନସ୍ ତ ଦୂରର କଥା ମୂଳ ଟଙ୍କା ମିଳିନଥିଲା। ସାଇବର ଠକ ତାଙ୍କୁ ଧରାଛୁଆଁ ଦେଇନଥିଲା। ଫଳରେ ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାର ଦ୍ୱାରସ୍ତ ହୋଇଥିଲେ।