ଆଠମଲ୍ଲିକ, ୧୫।୫ - ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି । ଏହାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି। ଏଥି ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଟାଙ୍ଗିଆନିଶା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଠାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ କରିବା ପାଇଁ ଗୁରୁଜନ, ବୁଦ୍ଧିଜୀବୀ ଏବଂ ଯୁବସମାଜର ଅପେକ୍ଷା ରହିଥିଲା । ଗୁରୁବାର ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପ ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବ । ଏହି ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ବିଶେଷ ଉପକୃତ ହେବେ । ଏହାର ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବାଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ।
ଶ୍ରୀ ପ୍ରଧାନ କହିଛନ୍ତି ଡବଲ ଅଞ୍ଜିନ ସରକାରରେ ଆଠମଲ୍ଲିକରେ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ । ଘର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଯିବ । ଏଠାରେ ପର୍ଯ୍ୟଟନର ବିକାଶ କରାଯିବ ସହ ଚାଷୀମାନଙ୍କ ଜୀବନରେ ଉନ୍ନତି ଅଣାଯିବ । ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ସହଯୋଗୀ ହେବା । ଆଠମଲ୍ଲିକ ଅଞ୍ଚଳର ବିକାଶ ଆମ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର କିଶୋରନଗର ବ୍ଲକ ଓସକାପାଲ୍ଲି-କରମଲକଟା ରାସ୍ତାର ୩.୩୬୦ କିମି ଠାରେ କରମଲକଟା ନାଳ ଉପରେ ସେଉଳ ସେତୁ, ହଣ୍ଡପା-ପଟାପଥର ଭାୟା ବିଲେଇନାଳୀ ରାସ୍ତା, ବାମୁର-ଧଉରାପାଲି-ମାଧପୁର ରାସ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଧଉରାପାଲିର ନୂଆ ଛାତ୍ରୀ ନିବାସର ଉଦଘାଟନ କରିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କିଶୋରନଗର ବ୍ଲକର ବାମୁର ଠାରୁ ଧଉରାପାଲି ଭାୟା ତାଳପଦର, ଜଇରାଟ ଓ ବାଲିଜେରେଙ୍ଗ ରାସ୍ତାର ଉନ୍ନତିକରଣ ଏବଂ ଘୋଷର ଠାରୁ ଅଙ୍ଗପଡ଼ା ଭାୟା କଡିଙ୍ଗବାହାଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।