ପାଳଲହଡ଼ା,୧୫/୫ : ପାଳଲହଡ଼ା ବ୍ଲକ ଖମାର ଥାନା ଅର୍ନ୍ତଗତ ୧୪୯ନଂ ଜାତୀୟ ରାଜପଥ ବନର ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଥଣ୍ଡା ବୋଝେଇ ଟ୍ରକ ଧକ୍କା ଦେଇଛି । ଫଳରେ ଥଣ୍ଡା ବୋଝେଇ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବଇଣ୍ଡା ଥାନା ତଳମଳିଆ ଅଞ୍ଚଳର ସୁମନ୍ତ ସାହୁ ବୋଲି ଜଣା ପଡ଼ିଛି।
ସୂଚନା ଅନୁସାରେ ରାତି ପ୍ରାୟ ୨ଟା ସମୟରେ ଏକ ଥଣ୍ଡା ବୋଝେଇ ଟ୍ରକ୍ କଟକରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବିପରୀତ ଦିଗରେ ଖମାର ପଟକୁ ମୁହଁ କରି ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଥଣ୍ଡା ବୋଝେଇ ଗାଡ଼ି ଚାଳକ ଗାଡ଼ିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ସୂଚନା ଦେବାରୁ ଘଟଣାସ୍ଥଳରେ ଖାମାର ପୋଲିସ ଓ ପାଳଲହଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଆହତ ହୋଇଥିବା ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିଲେ ।
ଘଟଣାସ୍ଥଳରେ ଗୁରୁତର ଚାଳକଙ୍କ ମୃତ୍ୟୁ ଘଟିଥିଲା। ଖମାର ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି । ଖମାର ପୋଲିସ ପକ୍ଷରୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସୁମନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।