ନୂଆଦିଲ୍ଲୀ, ୧୦/୦୨: ବିଜୟା ଏକାଦଶୀ ଏକ ପବିତ୍ର ବ୍ରତ । ହିନ୍ଦୁ ଧର୍ମରେ ଏହି ବ୍ରତ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏହି ବ୍ରତ ସୁଖ, ସମୃଦ୍ଧି ଏବଂ ସଫଳତାର ପ୍ରତୀକ । ବିଜୟା ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧି ବଢିବା ସହ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ । ବିଜୟା ଏକାଦଶୀ ଅର୍ଥାତ ଏପରି ଏକ ଏକାଦଶୀ ତିଥି ଯାହା ବିଜୟ ପ୍ରଦାନ କରିଥାଏ । ଚଳିତ ବର୍ଷ ବିଜୟା ଏକାଦଶୀ ତିଥି ଫେବୃୟାରୀ ୨୪ ତାରିଖ (ସୋମବାର)ରେ ପଡ଼ୁଛି । ଏହି ଦିନ ଜଣେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ବିଜୟୀ ହେବାର କାମନା ନେଇ ବ୍ରତ ପାଳନ କରିଥାଏ । ମାନ୍ୟତା ରହିଛି ଯେ, ବିଜୟା ଏକାଦଶୀର ମାହାତ୍ମ୍ୟକୁ ଶୁଣିବା କିମ୍ୱା ପଢିବା ଦ୍ୱାରା ମଧ୍ୟ ମନୁଷ୍ୟ ଜୀବନର ସମସ୍ତ ପାପର ବିନାଶ ହୋଇଥାଏ ।
ବିଜୟା ଏକାଦଶୀର ଶୁଭ ମୁହୂର୍ତ୍ତ-
ଫାଲ୍ଗୁନ ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିକୁ ବିଜୟା ଏକାଦଶୀ ଭାବରେ ବିବେଚନା କରାଯାଇଥଏ । ଚଳିତ ବର୍ଷ ଫେବୃୟାରୀ ୨୩ ତାରିଖ ଦ୍ୱିପ୍ରହର ୧ଟା ୫୫ ମିନିଟରୁ ଆରମ୍ଭ ହୋଇ ଏହାର ପରଦିନ ଅର୍ଥାତ ଫେବୃୟାରୀ ୨୪ ତାରିଖ ଦ୍ୱିପ୍ରହର ୧ଟା ୪୪ ମିନିଟରେ ଏହି ତିଥି ସମାପ୍ତ ହେବ । ଏହି ସମୟ ଅବଧି ମଧ୍ୟରେ ଫେବୃୟାରୀ ୨୪ ତାରିଖ ସକାଳ ୬ଟା ୫୧ ମିନିଟରୁ ଆରମ୍ଭ କରି ୮ଟା ୧୭ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ପାଇଁ ଶୁଭ ମୁହୂର୍ତ୍ତ ରହିବ । ଫେବୃୟାରୀ ୨୪ ତାରିଖ ସକାଳ ୬ଟା ୫୦ରୁ ଆରମ୍ଭ କରି ଫେବୃୟାରୀ ୨୫ ତାରିଖ ୯ଟା ୦୮ ପର୍ଯ୍ୟନ୍ତ ବ୍ରତ ପାଳନ ପାଇଁ ଶୁଭ ମୁହୂର୍ତ୍ତ ରହିଛି ବୋଲି ଜ୍ୟୋଜିର୍ବିଦ୍ ମାନେ ଆକଳନ କରଛନ୍ତି ।
ବିଜୟା ଏକାଦଶୀର ମହତ୍ତ୍ୱ ଏବଂ ତ୍ରେତୟା ଯୁଗ ସହ ସମ୍ପର୍କ -
ପଦ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଅତି ଶୋଚନୀୟ ଏବଂ କଷ୍ଟକର ପରସ୍ଥିତିରେ ବିଜୟା ଏକାଦଶୀ ବ୍ରତ ପାଳନ କରିଥାଏ, ସେହି ବ୍ୟକ୍ତି ନିଜର ବିଜୟ ସୁନିଶ୍ଚିତ କରିଥାଏ । ରାବଣ ସହ ଲଢିବା ପୂର୍ବରୁ ଶ୍ରୀରାମ ବକଦଲଭ୍ୟ ଋଷିଙ୍କ ଉପଦେଶ ଅନୁଯାୟୀ ସମୁଦ୍ର କୂଳରେ ବିଜୟା ଏକାଦଶୀ ବ୍ରତ ପାଳନ କରିଥିଲେ । ଏହି ବ୍ରତ ପାଳନ କରିବା ପରେ ଶ୍ରୀରାମ ରାବଣର ବଦ୍ଧ କରି ଯୁଦ୍ଧରେ ବିଜୟ ହାସଲ କରିଥିଲେ । ପ୍ରାଚୀନ କାଳରେ ଅନେକ ରାଜା ବିଜୟା ଏକାଦଶୀ ବ୍ରତ ପାଳନ କରି ହାରିବା ପରିସ୍ଥିତିରେ ମଧ୍ୟ ବିଜୟ ଲାଭ କରିଛନ୍ତି ।