ହିନ୍ଦୁ ଧର୍ମରେ ଫାଲଗୁନ ମାସର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ପରମ୍ପରା ରହିଛି । ଫାଲଗୁନ ମାସରେ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ଭାଗ୍ୟରେ ଉନ୍ନତି ହେବା ସହ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି । ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ପ୍ରତିବର୍ଷ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଏ। ଏହି ତିଥିରେ ଶିବ ଏବଂ ଶକ୍ତିର ସଂଗମ ହୋଇଥିଲା । ଜ୍ୟୋତିର୍ବିଦ୍ଙ୍କ ଗଣନା ଅନୁସାରେ, ଚଳିତ ବର୍ଷ ମାହାଶିବରାତ୍ରିରେ ଭଦ୍ରକାଳ ହେବ। ମାନ୍ୟତା ରହିଛି ଯେ, ଭଦ୍ରକାଳ ସମୟରେ ପୂଜା, କୌଣସି ପ୍ରକାରର ସଂସ୍କାର ତଥା ଗୃହ ପ୍ରବେଶ ଭଳି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ୍ । ଏପରି ସ୍ଥିତିରେ ମହାଶିବରାତ୍ରିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରିବାର ସଠିକ୍ ସମୟ କ'ଣ ଆସନ୍ତୁ ଜାଣିବା ।
ଜ୍ୟୋତିର୍ବିଦ୍ଙ୍କ ଗଣନା ଅନୁସାରେ, ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ଫେବୃୟାରୀ ୨୬ ତାରିଖ ସକାଳ ୧୧ଟା ୦୮ରୁ ଆରମ୍ଭ ହେବ । ଏହାର ପରଦିନ ଅର୍ଥାତ ଫେବୃୟାରୀ ୨୭ ତାରିଖ ସକାଳ ୮ଟା ୫୪ରେ ଏହି ପବିତ୍ର ତିଥି ଶେଷ ହେବ । ଏଥର ମହାଶିବରାତ୍ରିରେ ଅନେକ ଶୁଭ ସଂଯୋଗ ହେଉଥିଲେ ମଧ୍ୟ ଦୀର୍ଘ ୧୧ ଘଣ୍ଟା ପାଇଁ ଭଦ୍ରକାଳର ସମୟ ମଧ୍ୟ ରହିବ । ଏହି ଭଦ୍ରକାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ ।
ମହାଶିବରାତ୍ରିରେ ପୂଜା କରିବାର ଶୁଭ ସମୟ-
ଜ୍ୟୋତିର୍ବିଦ୍ଙ୍କ ଅନୁଯାୟୀ, ପବିତ୍ର ମହାଶିବରାତ୍ରିରେ ଭଦ୍ରକାଳର ସମୟ ଫେବୃୟାରୀ ୨୬ ତାରିଖ ସକାଳ ୧୧ଟା ୦୮ରୁ ଆରମ୍ଭ କରି ରାତି ୧୦ଟା ୦୫ ପର୍ଯ୍ୟନ୍ତ ରହିବ । ମହାଶିବରାତ୍ରିରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହେବା ସହ ହିଁ ଭଦ୍ରକାଳର ସମୟ ମଧ୍ୟ ଆରମ୍ଭ ହେବ । ଅର୍ଥାତ ଏହି ଦିନ ପାଖାପାଖି ୧୧ ଘଣ୍ଟା ପର୍ଯ୍ୟନ୍ତ ଭଦ୍ରକାଳ ରହିବ । ଶାସ୍ତ୍ର ଅନୁସାରେ ଏହି ସମୟ ଅବଧି ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ୍ । ଏପରି ସ୍ଥିତିରେ ମହାଶିବରାତ୍ରି ଦିନ ଯେକୌଣସି ସମୟରେ ବଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିହେବ । କିନ୍ତୁ ପୂଜା କରିବାର ଶୁଭ ସମୟ ସନ୍ଧ୍ୟା ୬ଟା ୧୯ରୁ ଆରମ୍ଭ କରି ରାତି ୯ଟା ୨୬ ପର୍ଯ୍ୟନ୍ତ ରହିବ ।