ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପ୍ରସଙ୍ଗରେ ଆମେରିକା ଏବଂ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଗୁରୁବାର ଆଲୋଚନା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ଟ୍ରମ୍ପ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ, ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଏବଂ ୟୁକ୍ରେନୀୟ ସୈନିକଙ୍କ ଜୀବନ ରକ୍ଷା କରିବା ବିଷୟରେ ଆଲୋଚନା କରିଛନ୍ତି । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋଶାଲ୍’ରେ ଲେଖିଛନ୍ତି, ପୁଟିନଙ୍କ ସହ "ବହୁତ ଭଲ ଏବଂ ଉପଯୋଗୀ ଆଲୋଚନା" ହୋଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ଶେଷ ହେବାର ସମ୍ଭାବନା ବୃଦ୍ଧି ପାଉଛି । ହଜାର ହଜାର ୟୁକ୍ରେନୀୟ ସୈନିକଙ୍କୁ ରୁଷ ସେନା ଘେରି ରହିଛନ୍ତି । ସେମାନେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଅଛନ୍ତି । ପୁଟିନଙ୍କୁ ୟୁକ୍ରେନୀୟ ସୈନିକଙ୍କ ଜୀବନ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ବୋଲି ଲେଖିଛନ୍ତି ଟ୍ରମ୍ପ ।
ପୁଟିନଙ୍କୁ ଟ୍ରମ୍ପଙ୍କ ଅନୁରୋଧ
‘ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନୀୟ ସୈନିକଙ୍କ ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରୁଛି। ଏହା ଏକ ଏଭଳି ଗଣହତ୍ୟା ହେବ ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ କେବେ ବି ଦେଖାଯାଇ ନାହିଁ।’ ଶେଷରେ ଟ୍ରମ୍ପ ଲେଖିଛନ୍ତି, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।
ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଚାହୁଁଛନ୍ତି କି ?
ଆମେରିକାର ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପ ଦାବି କରିଥିଲେ ଯେ, ଯଦି ସେ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ୟୁକ୍ରେନ ଯୁଦ୍ଧ କେବେ ଆରମ୍ଭ ହୋଇନଥାନ୍ତା । ସେ ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ସମାପ୍ତ କରିବାର ଯୋଜନା କରିଥାନ୍ତେ ।
ଯୁଦ୍ଧବିରତି ସମ୍ଭବ କି ?
ରୁଷ ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଏବଂ କୌଣସି ବଡ଼ ଚୁକ୍ତିର ସୂଚନା ଦେଇନାହିଁ । ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ ଉପରେ ନିରନ୍ତର ଚାପ ପ୍ରୟୋଗ କରୁଛନ୍ତି । ସେପଟେ ଟ୍ରମ୍ପ ନିରନ୍ତର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି । ନିକଟରେ, ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କର ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପୁଟିନଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅନୁରୋଧ ପରେ ଏହା ଦେଖିବାକୁ ବାକି ରହିଲା ଯେ, ଯୁଦ୍ଧ ବନ୍ଦ ହେବ ନା ଏଭଳି ସ୍ଥିତି ଜାରି ରହିବ ।