ଇସ୍ଲାମାବାଦ: ଟ୍ରେନ ଅପହରଣ ଯୋଗୁଁ ପାକିସ୍ତାନ ଖବରର ଶିରୋନାମାରେ ରହିଛି । ଏହି ସମୟରେ ପାକିସ୍ତାନରୁ ଆସିଥିବା ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନରୁ ଚକ ଗାୟବ ହେବାର ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଲାହୋର ବିମାନବନ୍ଦରରେ ପହଞ୍ଚିଥିବା ପିଆଇଏର ଏକ ବିମାନରେ ଗୋଟିଏ ଚକ ନଥିଲା । ବିମାନର ଯାଞ୍ଚ କରାଯିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ସୂଚନା ଅନୁଯାୟୀ, କରାଚୀରୁ ଲାହୋର ଆସିଥିବା PK 306 ବିମାନଟି ଆଲ୍ଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଏହା ପରେ ବିମାନର ଯାଞ୍ଚ ହେଉଥିବା ବେଳେ ଜଣାପଡିଲା ଯେ, ଏଥିରେ ଏକ ଚକ ନାହିଁ । ମୁଖ୍ୟ ଲ୍ୟାଣ୍ଡିଂ ଗିଅର (ପଛ)ର ଛଅଟି ଚକ ମଧ୍ୟରୁ ଗୋଟିଏ ଗାୟବ ଥିଲା। ବିମାନଟି ଲାହୋର ପହଞ୍ଚିବାର ୧୪ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ହଜିଯାଇଥିବା ଚକର କୌଣସି ସନ୍ଧାନ ମିଳିନାହିଁ । ସେପଟେ ବିମାନଟି କରାଚୀରୁ ଉଡ଼ାଣ ଭରିବା ସମୟରେ ସମସ୍ତ ଚକର ଅବସ୍ଥା ସୁରକ୍ଷିତ ଥିଲା ବୋଲି କୁହାଯାଉଛି ।
ବିମାନଟି ସ୍ୱାଭାବିକ ଭାବରେ ଲାହୋରରେ ଅବତରଣ କରିଥିଲା। କିନ୍ତୁ ଗୋଟିଏ ଚକ ନଥିବା ନେଇ ଜଣାପଡ଼ିବା ପରେ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ଏହି ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲା । କରାଚୀ ବିମାନବନ୍ଦରରେ ଟାୟାର ଶାଫ୍ଟର ଏକ ଅଂଶ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ସିଏଏ) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, କରାଚୀର ରନୱେରେ କୌଣସି ବାହ୍ୟ ବସ୍ତୁ ଆଘାତ ହେବା ଯୋଗୁଁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।
ପିଆଇଏ ଏବଂ ସିଏଏର ଟିମ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛନ୍ତି । ପିଆଇଏର ମୁଖପାତ୍ର କହିଛନ୍ତି ଯେ, କରାଚୀରୁ ଉଡ଼ାଣ ଭରିବା ପରେ, ଯେତେବେଳେ ବିମାନଟି ଲାହୋରରେ ପହଞ୍ଚିଲା, ଏହାର ଗୋଟିଏ ଚକ ଗାୟବ ଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ରନୱେରେ କୌଣସି ସମସ୍ୟା ଯୋଗୁଁ ଟାୟାର ପ୍ରଭାବିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ମୁଖପାତ୍ର କହିଛନ୍ତି ଯେ, ଏହି ଘଟଣା ସତ୍ତ୍ୱେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନାହିଁ । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ଟିମ ଚକଟି ଚୋରି ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିବ ବୋଲି ପିଆଇଏ ମୁଖପାତ୍ର କହିଛନ୍ତି।