ନୂଆଦିଲ୍ଲୀ,୧୪/୦୩: ଭାରତରେ ଷ୍ଟାରଲିଙ୍କକୁ ପ୍ରବେଶ କରିବାକୁ ହେଲେ କେନ୍ଦ୍ର ସରକାରଙ୍କର ସର୍ତ୍ତ ମାନିବାକୁ ହେବ। କେନ୍ଦ୍ର ସରକାର ଏଲନ ମସ୍କଙ୍କର ସାଟେଲାଇଟ ଉଦ୍ୟୋଗ ଷ୍ଟାରଲିଙ୍କକୁ ଭାରତରେ ଏକ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରିବାକୁ କହିଛନ୍ତି, ଯଦ୍ଦ୍ବାରା ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ସମ୍ବେଦନଶୀଳ ତଥା ବିବାଦୀୟ ଅଞ୍ଚଳରେ ଟେଲିକମ୍ ସେବାକୁ ଆବଶ୍ୟକ ସ୍ଥଳେ ସ୍ଥଗିତ କିମ୍ବା ବନ୍ଦ କରାଯାଇପାରିବ।
ଶୀର୍ଷ ସୂତ୍ରରୁ ଟାଇମ୍ସ ଅଫ୍ ଇଣ୍ଡିଆକୁ ମିଳିଥିବା ସୂଚନା ଅନୁସାରେ, ସୁରକ୍ଷା ପ୍ରତିଷ୍ଠାନ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ପକ୍ଷରୁ ସରକାରୀ ଚ୍ୟାନେଲ ମାଧ୍ୟମରେ କଲ୍ ଇଣ୍ଟରସେପ୍ଟକୁ ଅନୁମତି ଦେବାକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଛି। ସାଟେଲାଇଟ କମ୍ୟୁନିକେଶନ ଲାଇସେନ୍ସ ପାଇଁ ଷ୍ଟାରଲିଙ୍କ ଆବେଦନ ଶେଷ ପର୍ଯ୍ୟାୟରେ ଥିବାବେଳେ ଏହି ପଦକ୍ଷେପ ନିଆଯାଇଛି। ଏଥିରେ ନେଟୱର୍କ ମାର୍କେଟିଂ, ନିଯୁକ୍ତି ଏବଂ ନେଟଓ୍ବର୍କ ବଢ଼ାଇବା ପାଇଁ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସହିତ ଚୁକ୍ତିନାମା କରୁଛି।
କାହିଁକି ଗୁରୁତ୍ବପୁର୍ଣ୍ଣ କଣ୍ଟ୍ରୋଲ ସେଣ୍ଟର:
ଗୋଟିଏ କଣ୍ଟ୍ରୋଲ ସେଣ୍ଟର ଏଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ଦେଶର କୌଣସି ଏକ ସ୍ଥାନରେ ଆଇନ କାନୁନ ବ୍ୟବସ୍ଥାରେ ଅଚାନକ ପରିବର୍ତ୍ତନ ହେବା କାରଣରୁ ସାଟେଲାଇଟ ମାଧ୍ୟମରେ ଦିଆଯାଉଥିବା ଯୋଗାଯୋଗ ସେବାକୁ ତତ୍କାଳ ମାଧ୍ୟମରେ ବନ୍ଦ କରାଯାଇପାରିବ। ଯେତେବେଳେ ଏସବୁର ଆବଶ୍ୟକତା ଆସେ ସେତେବେଳେ ଆମେ ଷ୍ଟାରଲିଙ୍କର କବାଟ ବାଡ଼େଇବା କିମ୍ବା ଆମେରିକାର ମୁଖ୍ୟାଳୟ ସହିତ ଯୋଗାଯୋଗ କରିବା ଆଶା କରିବା ନାହିଁ। କମ୍ପାନୀ ସରକାରଙ୍କୁ ଆଶ୍ୱାସନା ଦେଇଛି ଯେ ଏହା ଉପରେ ଦୃଷ୍ଟି ଦେବ।
କ'ଣ କହୁଛି ଟେଲିକମ୍ ଆଇନ?
ଟେଲିକମ୍ ଆଇନ ଅଧିନିୟମରେ ଏପରି ବ୍ୟବସ୍ଥା ରହିଛି ଯାହା ବିପର୍ଯ୍ୟୟ ପରିଚାଳନା ସମେତ ଜନସାଧାରଣ ଜରୁରୀକାଳୀନ ପରିସ୍ଥିତି କିମ୍ବା ଜନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏକ ପ୍ରାଧିକୃତ ସଂସ୍ଥା ଠାରୁ ଯେକୌଣସି ଟେଲିକମ୍ ସେବା କିମ୍ବା ନେଟୱାର୍କର 'ଅସ୍ଥାୟୀ ଅଧିକାର' ନେବାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଅନୁମତି ଦେଇଥାଏ। ଏହା ବ୍ୟତୀତ ଇଣ୍ଟରନେଟ୍ ବନ୍ଦ ପାଇଁ ବ୍ୟବସ୍ଥା ମଧ୍ୟ ଅଛି। ହସ୍ତକ୍ଷେପ ପ୍ରସଙ୍ଗରେ ସୂତ୍ର ସ୍ପଷ୍ଟ କରିଛି ଯେ 'ଏହା କିଛି ନୂଆ ନୁହେଁ' ଏବଂ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଭଳି କମ୍ପାନୀ ଦ୍ୱାରା ପରିଚାଳିତ ବର୍ତ୍ତମାନର ନେଟୱାର୍କ ପାଇଁ ମଧ୍ୟ ଏହା ବାଧ୍ୟତାମୂଳକ ଅଟେ।