ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ତାଙ୍କର ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନଙ୍କ ସହ ଏବେ ବି ଭଲ ସମ୍ପର୍କ ରହିଛି, ଯାହାଙ୍କ ସହ ସେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଅନେକ ଶିଖର ସମ୍ମିଳନୀ କରିଛନ୍ତି । ଟ୍ରମ୍ପ ପୁଣିଥରେ ଉତ୍ତର କୋରିଆକୁ "ପରମାଣୁ ଶକ୍ତିଶାଳୀ" ବୋଲି ବର୍ଣ୍ଣନା କରିଛନ୍ତି। ନାଟୋ ମହାସଚିବ ମାର୍କ ରୁଟ୍ଙ୍କ ସହ ଓଭାଲ ଅଫିସ୍ ବୈଠକ ସମୟରେ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ ଯେ, ସେ କିମ୍ଙ୍କ ସହ କ’ଣ ସମ୍ପର୍କ ପୁନଃନିର୍ମାଣ କରିବାକୁ ଯୋଜନା କରୁଛନ୍ତି କି ? ଏହାର ଉତ୍ତରରେ ଟ୍ରମ୍ପ୍ କହିଥିଲେ ଯେ, ମୋର କିମ୍ ଜୋଙ୍ଗ୍ ଉନ୍ଙ୍କ ସହ ବହୁତ ଭଲ ସମ୍ପର୍କ ଅଛି, ଏବଂ ମୁଁ ଦେଖିଛୁ ଏଠାରେ କ’ଣ ଘଟୁଛି, କିନ୍ତୁ ନିଶ୍ଚିତ ଭାବରେ ସେ ଜଣେ ପରମାଣୁ ଶକ୍ତିଶାଳୀ।
ରୁଷ ଏବଂ ଚୀନର ପରମାଣୁ ଅସ୍ତ୍ରାଗାର ବିଷୟରେ ଉଲ୍ଲେଖ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ସେ ପରମାଣୁ ଅସ୍ତ୍ର ସଂଖ୍ୟା ହ୍ରାସ କରିବାରେ ସଫଳ ହୁଅନ୍ତି, ତେବେ ଏହା ଏକ ବଡ଼ ସଫଳତା ହେବ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ପ୍ରକ୍ରିୟାରେ ଅନ୍ୟ ଦେଶ ମାନଙ୍କୁ ସାମିଲ କରିବା ଆବଶ୍ୟକ ହେବ, ଯେପରିକି ଭାରତ, ପାକିସ୍ତାନ ଏବଂ ପରମାଣୁ ଅସ୍ତ୍ର ଥିବା ଅନ୍ୟ ଦେଶ। ତେବେ ଏହି ମାମଲାରେ ଜଣେ ହ୍ୱାଇଟ୍ ହାଉସ୍ ଅଧିକାରୀ ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ଲକ୍ଷ୍ୟ ହେଉଛି ଉତ୍ତର କୋରିଆକୁ ସମ୍ପୂର୍ଣ୍ଣ ପରମାଣୁ ମୁକ୍ତ କରିବା, ଯେପରି ସେ ତାଙ୍କ ପ୍ରଥମ କାର୍ଯ୍ୟକାଳରେ କରିଥିଲେ।
ଏଠାରେ ଉଲ୍ଲେଖନୀୟ ଯେ,ଫେବୃଆରୀ ୧୫ ତାରିଖରେ ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ଜାପାନ ଏବଂ ଦକ୍ଷିଣ କୋରିଆର ଅଧିକାରୀମାନେ ମଧ୍ୟ ଉତ୍ତର କୋରିଆର ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।