ଇସଲାମାବାଦ : ପାକିସ୍ତାନର ବଲୁଚିସ୍ତାନରେ ହୋଇଥିବା ଜାଫର ଏକ୍ସପ୍ରେସ୍ ଟ୍ରେନ୍ରେ ହମଲା ଘଟଣାରେ ପାକିସ୍ତାନ ସେନା ଭାରତ ଉପରେ ଗୁରୁତର ଅଭିଯୋଗ ଲଗାଇଛି। ଡିଜି ଆଇଏସପିଆର ଲେଫ୍ଟେନାଣ୍ଟ ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ କହିଛନ୍ତି ଯେ, ବଲୁଚିସ୍ତାନରେ ଆତଙ୍କବାଦକୁ ସବୁ ଫଣ୍ଡିଂ ଭାରତରୁ ହେଉଛି। ବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତିଙ୍କ ସହ ଜେନେରାଲ ଚୋଧୁରୀ ଶୁକ୍ରବାର ଟ୍ରେନ୍ ହାଇଜାକ୍ ଘଟଣାରେ ପ୍ରେସ୍ କନଫରେନ୍ସ କରି ଏହି କଥା କହିଛନ୍ତି। ଏହି ସମୟରେ ଉଭୟ ଗୋଟେପଟେ ନିଜ ସେନାକୁ ପ୍ରଶଂସା କରିଥିବା ବେଳେ ଅନ୍ୟପଟେ ଏହି ପୂରା ଘଟଣାକ୍ରମରେ ଭାରତ ଉପରେ ଦୋଷ ଲଦିଛନ୍ତି।
ପାକିସ୍ତାନର ଜିୟୋ ଟିଭି ମୁତାବିକ, ଜେନେରାଲ ଶରିଫ୍ ଚୌଧୁରୀ କହିଛନ୍ତି ଯେ, ବଲୁଚିସ୍ତାନରେ ପ୍ରଥମେ ହୋଇଥିବା ଆକ୍ରମଣ ଓ ଟ୍ରେନର ହାଇଜାକ୍ ହେବାର ଏହି ଘଟଣାରେ ଆମେ ବୁଝିବା ଯେ, ଏହାର ମୁଖ୍ୟ ପ୍ରାୟୋଜକ ଆମର ପୂର୍ବରେ ଥିବା ପଡୋଶୀ ଦେଶ (ଭାରତ)। ଜାଫର ଏକ୍ସପ୍ରେସ ଘଟଣା ପାକିସ୍ତାନରେ ଆତଙ୍କବାଦକୁ ବୃଦ୍ଧି କରାଇବାକୁ ଭାରତୀୟ ନୀତିର ଅଂଶବିଶେଷ। ଏହି ସବୁ ପ୍ଲାନ୍ ସୀମା ସେପଟେ ହୋଇଛି ଏବଂ ଏହାକୁ ସଫଳ କରାଯାଇଛି।
ପାକ୍ ସେନାର ପ୍ରବକ୍ତା କହିଛନ୍ତି , ଆତଙ୍କବାଦୀମାନେ ଦୁର୍ଗମ ପାହାଡିଆ ଅଞ୍ଚଳରେ ବିସ୍ଫୋରଣ କରି ଜାଫର ଏକ୍ସପ୍ରେସ୍କୁ ରୋକି ଥିଲେ। ଆତଙ୍କୀଙ୍କ ଏକ ଗ୍ରୁପ୍ ମହିଳା ଓ ପିଲାଙ୍କୁ ଟ୍ରେନ୍ ଭିତରେ ବନ୍ଦୀ କରି ରଖି ଥିଲେ ଏବଂ ଅନ୍ୟ ଯାତ୍ରୀଙ୍କୁ ଟ୍ରେନରୁ ବାହାର କରି ଭୟଭୀତ କରି ଥିଲେ। ଏହି ସବୁ ମଧ୍ୟରେ ସବୁଠୁ ବଡ଼ କଥା ଏହା ଥିଲା ଯେ, ଭାରତୀୟ ମିଡ଼ିଆ ତୁରନ୍ତ ଆତଙ୍କୀଙ୍କ ସମର୍ଥନରେ ଯୁଦ୍ଧସ୍ତରରେ କାମ କରିବା ଆରମ୍ଭ କରି ଦେଇଛି ଏବଂ ପାକିସ୍ତାନକୁ ବଦନାମ କରିବାକୁ ସବୁ ଦିଗରୁ ଚେଷ୍ଟା କରିଛି।
ପାକ୍ ସେନା ଅଫିସର ପ୍ରେସ୍ କନଫରେନ୍ସରେ ଦାବି କରିଛନ୍ତି ଯେ, ଜାଫର ଏକ୍ସପ୍ରେସ୍ ଆକ୍ରମଣରେ ମିଥ୍ୟା ପ୍ରସାର କରିବା ପାଇଁ ଭାରତରେ ଏଆଇର ବ୍ୟବହାର କରି ଫେକ୍ ଭିଡ଼ିଓ କରାଯାଇଛି। ଏହି ଭିଡ଼ିଓର ସାହାଯ୍ୟରେ ଭାରତୀୟ ମିଡ଼ିଆ ସ୍ଥିତିକୁ ବଢାଇ ଦୁଷ୍ପ୍ରଚାର ପ୍ରସାର କରିଛନ୍ତି। ସେ କହିଛନ୍ତି ଯେ, ଗୋଟେ ପଟେ ଆମର ପଡୋଶୀ ବଲୁଚିସ୍ତାନରେ ଆତଙ୍କକୁ ବୃଦ୍ଧି କରାଉ ଥିବା ବେଳେ ଅନ୍ୟପଟେ ତାଙ୍କର ମିଡ଼ିଆ ଆମକୁ ବଦନାମ କରିବାକୁ କୌଣସି ସ୍ତରକୁ ବି ଯାଉଛି।