ନୂଆଦିଲ୍ଲୀ : ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଘଟିଥିବା ଟ୍ରେନ୍ ହାଇଜାକ୍ର ଖବର ପୁରା ଦୁନିଆରେ ଆତଙ୍କ ଖେଳାଇ ଦେଇଛି। ଗତ ମଙ୍ଗଳବାର ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ)ର ବିଦ୍ରୋହୀମାନେ ବଲୁଚିସ୍ତାନରେ ଥିବା ଗୁଡଲାର ଓ ପିରୁ କୁନରୀର ସୁଦୂର ଅଞ୍ଚଳରେ ୪୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସ୍ ଟ୍ରେନ୍କୁ ଆକ୍ରମଣ କରି ଥିଲେ। ଏହି ହମଲାରେ ପାଖାପାଖି ୨୦ଜଣ ଯାତ୍ରୀ ଓ ପାକିସ୍ତାନୀ ସେନାଙ୍କ ଅନେକ ସୈନିକଙ୍କ ଜୀବନ ଯାଇଥିବା ଖବର ଆସିଛି। ସେପଟେ ସେନା ବୁଧବାର ସବୁ ୩୩ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଥିବା ଦାବି କରିଛି। ଏହି ମଧ୍ୟରେ ବିଦ୍ରୋହୀଙ୍କ କଏଦୀରୁ ମୁକ୍ତ ହୋଇଥିବା କିଛି ଲୋକେ ଏହି ଭୟଙ୍କର ଘଟଣାକୁ ମନେପକାଇ ଗୋଟି ଗୋଟି ବଖାଣିଛନ୍ତି।
ଏହା ପୂର୍ବରୁ ଗୁରୁବାର ୨୫ ପୀଡ଼ିତଙ୍କ ମୃତଦେହକୁ କ୍ୱେଟା ଅଣା ଯାଇଛି। ବିଦ୍ରୋହୀଙ୍କ କବଳରୁ ରକ୍ଷା ପାଇ ଆସି ଥିବା ଯାତ୍ରୀ କହିଛନ୍ତି ଯେ, ମୁକ୍ତ ହେବା ପୂର୍ବରୁ ସେ ଅନେକ ସମୟ ଯାଏ ଫ୍ଲୋରରେ ଲୁଚି ରହି ଥିଲେ। ଗୁରୁବାର ବନ୍ଧକଙ୍କ ମଧ୍ୟରୁ ଜଣେ ଅର୍ସଲାନ ୟୁସୁଫ ରୟଟର୍ସକୁ କହିଛନ୍ତି କି, ଆକ୍ରମଣକାରୀ ପ୍ରଥମେ ଟ୍ରେନ୍ର ଟ୍ରାକ୍ରେ ବିସ୍ଫୋରଣ କରି ଥିଲେ। ୟୁସୁଫ କହିଛନ୍ତି , ବିଦ୍ରୋହୀ ରକେଟ୍ ଲଞ୍ଚର , ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ ଏବଂ ସେ ଟ୍ରେନ୍ ଉପରେ ହମଲା କରି ଥିଲେ ଏବଂ ଲୋକଙ୍କ ଉପର ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ। ୟୁସୁଫ୍ କହିଛନ୍ତି ଯେ , ଆତଙ୍କୀମାନେ ଯାତ୍ରୀଙ୍କ ଠାରୁ ତାଙ୍କର ପରିଚୟ ପଚାରି ଥିଲେ ଏବଂ ଏହାପରେ ଅଲଗା ଅଲଗା ଗ୍ରୁପ୍ରେ ବାଣ୍ଟି ଦେଇ ଥିଲେ। ୟୁସୁଫ୍ ଆହୁରି କହିଛନ୍ତି , ମଝି ମଝିରେ ସେ କିଛି ସୈନିକଙ୍କୁ ଧରି ନେଉ ଥିଲେ ଏବଂ ସେମାନଙ୍କୁ ହତ୍ୟା କରୁଥିଲେ । ସେ ବଛା ବଛା ଲୋକଙ୍କୁ ଟାର୍ଗେଟ୍ କରୁ ଥିଲେ। ବିରୋଧ କରିବାରୁ ସେ ଅନେକ ଲୋକଙ୍କୁ ଆମର ଆଖି ସାମନାରେ ମାରି ଦେଉ ଥିଲେ। ଆଉ ଜଣେ ଯାତ୍ରୀ ମହମ୍ମଦ ତନବୀର କହିଛନ୍ତି କି ଲୋକେ ଏହି ସମୟରେ କେବଳ ପାଣି ପିଇ ବଞ୍ଚି ଥିଲେ।
ଟ୍ରେନ୍ ଚାଳକ ଅମଜଦ ମଧ୍ୟ ଏହି ଘଟଣାକୁ ମନେପକାଇ କହିଛନ୍ତି , ବିଦ୍ରୋହୀ ଝରକାକୁ ଭାଙ୍ଗି ଟ୍ରେନ୍ରେ ପଶି ଥିଲେ , କିନ୍ତୁ ସେମାନେ ଭାବି ଥିଲେ ଆମେ ସବୁ ମରି ଯାଇଛୁ।ସେ କହିଛନ୍ତି କି, ଗୁଳିକାଣ୍ଡ ଆରମ୍ଭ ହେବା ପରେ ସେମାନେ ଇଞ୍ଜିନର ଫ୍ଲୋରରେ ଲୁଚି ଯାଇ ଥିଲେ। ସେ ପାଖାପାଖି ୨୭ ଘଣ୍ଟା ଯାଏ ସେଠାରେ ଲୁଚି ଥିଲେ। ୩୧ ବର୍ଷିୟ ମହବୁବ ଅହମ୍ମଦଙ୍କୁ ଏହି ହମଲାରେ ଅନେକ ଗୁଳି ବାଜିଛି। ସେ କହିଛନ୍ତି କି,ଲୋକେ ଟ୍ରେନ୍ରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ ଏବଂ କିଛି ସଫଳ ମଧ୍ୟ ରହିଥିଲେ। ହେଲେ ସେ ଅଧିକାଂଶ ଲୋକଙ୍କୁ ଗୁଳି କରିଥିଲେ। ସେ କହିଛନ୍ତି , ଆମେ ବଞ୍ଚିବାର ଆଶା ହରାଇ ସାରିଥିଲୁ।
ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ଇଶାକ ନୂର କହିଛନ୍ତି, ଆମେ ଗୁଳିକାଣ୍ଡ ବେଳେ ନିଜର ନିଶ୍ୱାସ ବନ୍ଦ କରି ରହିଥିଲୁ। ଆଗକୁ କଣ ହେବ ଏହା ଜାଣି ନଥିଲୁ। ମହମ୍ମଦ ନୂର ବିବିସିକୁ କହିଛନ୍ତି ଯେ , ଯେବେ ଏକ ଘଣ୍ଟା ପରେ ଗୁଳିକାଣ୍ଡ ବନ୍ଦ ହେଲା ତ ଅସ୍ତ୍ରଶସ୍ତ୍ର ଧରି ଥିବା ଲୋକେ ଟ୍ରେନ୍ ଡୋରକୁ ଜବରଦସ୍ତ ଖୋଲି ଥିଲେ ଏବଂ ଭିତରେ ପଶି ଥିଲେ। ସେ କହିଛନ୍ତି, ବାହାରକୁ ଚାଲି ଯାଅ, ନୁହେଁ ତ ଗୁଳି ମାରି ଦେବୁ। ମହମ୍ମଦ କହିଛନ୍ତି କି, ତାଙ୍କୁ ଟ୍ରେନରୁ ବାହାର କରି ଦିଆ ଯାଇଛି ଏବଂ ଯେବେ ସେ ବିଦ୍ରୋହୀଙ୍କୁ କହିଲେ କି, ତାଙ୍କର ପତ୍ନୀ ଏବେ ବି ଟ୍ରେନରେ ଅଛନ୍ତି , ସେ ତାଙ୍କୁ ବି ବାହାରକୁ କାଢି ଦେଲେ। ସେ କହିଛନ୍ତି , ସେ ଆମକୁ ସିଧା ଯିବାକୁ ଓ ପଛକୁ ଅନାଇ ନଦେଖିବାକୁ କହିଲେ।
ଏସବୁ ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଗୁରୁବାର ବଲୁଚିସ୍ତାନ ଗସ୍ତ କରି ଥିଲେ। ଶରିଫ୍ ସହରରେ ସାଂସଦ ଓ ସେନା ଅଧିକାରୀଙ୍କ ଏକ ବୈଠକରେ କହି ଥିଲେ ଯେ , ପାକିସ୍ତାନର ଇତିହାସରେ ଏମିତି କୌଣସି ଘଟଣା କେବେ ଘଟି ନାହିଁ। ବିଏଲଏ କହିଛି ଯେ ,ପାକିସ୍ତାନ ଯେଉଁ ଲୋକଙ୍କୁ ବଞ୍ଚାଇ ଥିବାର ଦାବି କରୁ ଥିଲା , ତାଙ୍କୁ ପ୍ରକୃତରେ ଗ୍ରୁପ୍ ହିଁ ଛାଡ଼ି ଥିଲା। ଗ୍ରୁପ୍ ଦାବି କରିଛି ଯେ , ପାକିସ୍ତାନ ସରକାର ମିଛ କହୁଛି ଏବଂ ଏହି ଯୁଦ୍ଧ ଏବେ ଶେଷ ହୋଇ ନାହିଁ।