ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖଓ୍ବାର ଦକ୍ଷିଣ ୱାଜିରିସ୍ତାନରେ ଆଜି (ଶୁକ୍ରବାର)ଏକ ମସଜିଦ୍ରେ ବିସ୍ଫୋରଣ ହୋଇଛି । ନମାଜ ପାଠ ସମୟରେ ଏଠାରେ ବୋମା ବିସ୍ଫୋରଣ ହୋଇଛି । ଆକ୍ରମଣରେ ଜମିଆତ ଉଲେମା-ଏ-ଇସଲାମ (ଜେୟୁଆଇ) ଜିଲ୍ଲା ମୁଖ୍ୟ ଅବଦୁଲ୍ଲା ନଦୀମ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି।
ଦି ଡନ୍ ରିପୋର୍ଟ ଅନୁଯାୟୀ ଜିଲ୍ଲା ପୋଲିସ ଅଧିକାରୀ (ଡିପିଓ) ଆସିଫ ବାହାଦୁର କହିଛନ୍ତି ଯେ, ଆଜମ ୱାରସାକ ବାଇପାସ୍ ରୋଡରେ ଥିବା ମୌଲାନା ଅବଦୁଲ ଅଜିଜ ମସଜିଦରେ ଏହି ବିସ୍ଫୋରଣ ହୋଇଛି । ଅପରାହ୍ନ ୧:୪୫ ସମୟରେ, ମସଜିଦର ମଣ୍ଡପରେ ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ରଖାଯାଇଥିଲା, ଯାହାକି ନମାଜ ସମୟରେ ବିସ୍ଫୋରଣ ହୋଇଛି।
ଡିପିଓଙ୍କ ଅନୁଯାୟୀ, ଅନ୍ୟ ତିନି ଜଣ ଆହତଙ୍କ ନାମ ରେହମାନୁଲ୍ଲା, ମୁଲ୍ଲା ନୁର ଏବଂ ଶାହ ବେହରାନ ବୋଲି ଚିହ୍ନଟ କରାଯାଇଛି। ସମସ୍ତ ଆହତଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ବିସ୍ଫୋରଣ ସ୍ଥଳରେ ତଦନ୍ତ ଆରମ୍ଭ କରିଛି ଏବଂ ପ୍ରମାଣ ସଂଗ୍ରହ କରୁଛି । ଆକ୍ରମଣକାରୀଙ୍କୁ ଖୋଜିବାରେ ବସ୍ତ ରହିଛି ସୁରକ୍ଷା ଏଜେନ୍ସି ।