କୋରାପୁଟ, ୨୫/୦୮: କୋପ କରିଛନ୍ତି ଗ୍ରାମଦେବତୀ। ମାଡ଼ୁଛି ଅଜଣା ରୋଗ। ଚାରିଆଡ଼େ କୋକୁଆ ଭୟ। ଯିଏ ଡାକ୍ତରଖାନା ଗଲା ସିଏ ଶବ ହୋଇ ଫେରିଲା ! ଗାଁ ମଶାଣୀରୁ ଲିଭୁନି ଜୁଇ। ଏବେ ଶ୍ମଶାନ ଯିବାକୁ ବି ଡରୁଛନ୍ତି ଲୋକେ । ସପ୍ତାହକରେ ଗଲାଣି ୫ ଜୀବନ। ୭ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। ଗ୍ରାମଦେବତୀଙ୍କୁ ଶାନ୍ତି କରିବାକୁ ଗାଁରେ ଚାଲିଛି ଦିଶାରୀଙ୍କ ପୂଜାର୍ଚ୍ଚନା। କୋରାପୁଟ ଜିଲ୍ଲା ଓଡ଼ପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ଓଡ଼ପୁର ଗାଁରେ କିଛି ଦିନ ହେବ ଅଜଣା ରୋଗ ମାଡ଼ିଛି। ଶିଶୁ ଠାରୁ ନେଇ ବୟସ୍କଙ୍କ ଯାଏଁ ଆକ୍ରାନ୍ତ ହେଉଛନ୍ତି । କିଏ ବାନ୍ତି କରୁଛି ତ ଆଉ କିଏ ଅସହ୍ୟ ପେଟ ବ୍ୟଥାରେ କଲବଲ ହେଉଛି। ଯିଏ ହସ୍ପିଟାଲକୁ ଗଲା ସିଏ ଶବ ହୋଇ ପେରୁଛି । ଜଣେ କି ଦୁଇ ଜଣ ନୁହେଁ ସପ୍ତାହକରେ ୫ ଜଣଙ୍କର ଜୀବନ ଗଲାଣି। କୋରାପୁଟ ମେଡିକାଲରେ ଏବେ ୭ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଚିକିତ୍ସିତ ହେଉଛନ୍ତି । ଗାଁ ଲୋକେ ଏବେ ପ୍ରମାଦ ଗଣୁଛନ୍ତି। କେତେବେଳେ ଯେ ମେଡିକାଲରୁ କାହାର ମୃତ୍ୟୁ ଖବର ଆସିବ ତାହା କହି ହେବ ନାହିଁ । ମଶାଣୀରେ ବି ନିଆଁ ଲିଭୁନି। ଗୋଟିଏ ଜୁଇ ନଲିଭୁଣୁ ଆଉ ଗୋଟିଏ ଜୁଇ ଲାଗୁଛି। ଏନେଇ ଗ୍ରାମର ଘାସୁ ଗୌଡ଼ କୋହଭରା କଣ୍ଠରେ କହିଛନ୍ତି, ସେ ନିଜେ ଅସୁସ୍ଥ ହୋଇ ହସ୍ପିଟାଲ ଆସିଥିଲେ। ଏବେ ସ୍ଵାମୀ ଗୁରୁତର ହେଲେଣି। କୁନି ଛୁଆ ଓ ବୁଢୀ ଶାଶୁ ମା'ଙ୍କୁ ରୋଗ ଖାଇ ଦେଇଛି।
ଓଡ଼ପୁର ଗାଁରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ଏବେ ଗାଁ ଲୋକେ ଦିଶାରୀ ପୂଜା କରୁଛନ୍ତି। ସେପଟେ ଖବର ପାଇ ସ୍ଵାସ୍ଥ୍ୟ ଟିମ୍ ଗାଁରେ ପହଞ୍ଚିଛି । ପାନୀୟ ଜଳ, ସ୍ଵଚ୍ଛତା ଓ ପରିମଳ ବିଷୟରେ ଯାଞ୍ଚ କରୁଛି। ସ୍ଥାନୀୟ ବିଧାୟକ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ମୃତକଙ୍କ ନମୁନା ସଂଗ୍ରହ କରାଯାଇଛି। କିଡନୀ ସମସ୍ୟା ଓ ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ କହିଛି। ମୃତ୍ୟୁର ପ୍ରକୃତ କାରଣ ଖୋଜି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସର୍ବସାଧାରଣରେ ଦାବି କରାଯାଇଛି ।