ନମୌଜା, ୨୫|୮ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ତୃତୀୟ ବନ୍ୟା। ଲଗାଣ ବର୍ଷା ଯୋଗୁଁ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖରସ୍ରୋତା ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ଆଳି ଗୋବିନ୍ଦପୁର ମୁଖ୍ୟ ରାସ୍ତାର ମାନପୁର ଘୋଷରା ନିକଟରେ ପ୍ରାୟ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ଧୋୟାଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଯାଜପୁର ଜିଲ୍ଲାକୁ ମଧ୍ୟ ଯାତାୟାତ ଠପ୍ ହୋଇଯାଇଛି। ସେହିପରି ପେତପଡା, ଏରଡ଼ଙ୍ଗ, ପାଳିମି, ଦେସାହି, ସଂସିଦ୍ଧା, ଗୋବିନ୍ଦପୁର, ଜୁଆଣିଆ, ଅର୍ଗଳ, ଡିମିରିପାଳ ଆଦି ପଞ୍ଚାୟତ ମଧ୍ୟ ପାଣି ଘେରରେ ରହିଛି । ଏହି ରାସ୍ତା ଦେଇ ଲୋକେ ସଦର ମହକୁମାକୁ ଯାଉଥିବା ବେଳେ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜକୁ ଯାତାୟାତ କରନ୍ତି। ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ଆଳି ବ୍ଲକ୍ ରିଙ୍ଗ ବନ୍ଧ ନିକଟସ୍ଥ କିଛି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ପୂର୍ବ ବନ୍ୟାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏବେ ପୁଣି ଥରେ ବନ୍ୟା ଆସିବା ଯୋଗୁଁ ଚାଷୀ ହତାଶ ହୋଇପଡିଛନ୍ତି। ପୂର୍ବରୁ ଦୁଇ ବନ୍ୟା ବେଳେ ଲୋକମାନେ ସରକାରୀ ସହାୟତା ପାଇ ନଥିବା ବେଳେ ଏବେ ତୃତୀୟ ବନ୍ୟା ଯୋଗୁଁ ଲୋକଙ୍କ ମନରେ ଛନକା ପଶିଛି। ବନ୍ୟା ମୁକାବିଲା ପାଇଁ ତଟବନ୍ଧ ବିଭାଗ ଓ ବ୍ଲକ୍ କାର୍ଯ୍ୟାଳୟ ସହାୟତା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଜରୁରୀ ଚିକିତ୍ସା ପାଇଁ ପ୍ରସ୍ତୁତ ଥିବା ଆଳି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ପ୍ରଣବ ଶୁକ୍ଲା ସୂଚନା ଦେଇଛନ୍ତି । ସେହିପରି ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ଆଳି ବିଡିଓ କହିଛନ୍ତି।