ଭୁବନେଶ୍ଵର, ୨୫/୦୮ : ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସଆଇ ଜଗା ବରିହା। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଏସଆଇ ଜଗା ବରିହା ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଛି। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଜଗା ବରିହାଙ୍କ ୩ଟି ଠିକଣାରେ ଦୁର୍ନୀତି ନିବାରଣ ଟିମ୍ ଚଢାଉ ଜାରି ରହିଛି ।
ସୂଚନାନୁଯାୟୀ, ଜଣେ ସ୍କ୍ରାପ୍ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ବିଜେପୁର ଥାନା ଏସଆଇ ଜଗା ବରିହା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଡିଲର ଜଣଙ୍କ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିବାରୁ ଜଗା ୭ ହଜାର ଟଙ୍କା ମାଗିଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଡିଲର ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ଆଜି ଭିଜିଲାନ୍ସ ଏସଆଇଙ୍କ ଉପରେ ନଜର ରଖିଥିଲା। ଏସଆଇ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଜଗାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହା ସହ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।