ନୂଆଦିଲ୍ଲୀ: ନିକଟରେ ମହାକାଶରୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଦେଶ ତାଙ୍କ ସଫଳତା ପାଇଁ ଗର୍ବିତ। ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାତୀୟ ମହାକାଶ ଦିବସ ଅବସରରେ ଉନାର ଏକ ପିଏମ ଶ୍ରୀ ସ୍କୁଲରେ ଭାଷଣ ଦେଇ ସେ କହିଛନ୍ତି ଯେ, ଭଗବାନ ହନୁମାନଙ୍କୁ ମହାକାଶକୁ ଯାଇଥିବା ପ୍ରଥମ ବ୍ୟକ୍ତି ଭାବରେ ବିବେଚନା କରାଯାଇ ପାରିବ।
ପିଲା ମାନଙ୍କୁ ସମ୍ବୋଧିତ କରିବା ସମୟରେ ବିଜେପି ସାଂସଦ ଅନୁରାଗ ଠାକୁର ଛାତ୍ର ମାନଙ୍କୁ ପଚାରିଥିଲେ ଯେ, ମହାକାଶକୁ ଯାତ୍ରା କରିଥିବା ପ୍ରଥମ ବ୍ୟକ୍ତି କିଏ ? ପିଲାମାନେ ଏହାର ଉତ୍ତର ଦେଇଥିଲେ । କେତେକ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ନାମ ନେଇଥିଲେ ଏବଂ କେତେକ ଅନ୍ୟ କୌଣସି ମହାକାଶଚାରୀଙ୍କ ନାମ ନେଇଥିଲେ। ଏହା ପରେ ହସି ହସି ଅନୁରାଗ ଠାକୁର କହିଥିଲେ ଯେ, ମୁଁ ଭାବୁଛି ଏହା ହନୁମାନ ଜୀ । ଏହା ପଛରେ ସେ ଯୁକ୍ତି ବାଢିଥିଲେ ଯେ, ଆମେ ଏବେ ବି ନିଜକୁ ବର୍ତ୍ତମାନ ଦେଖୁଛୁ, ଯେପର୍ଯ୍ୟନ୍ତ ଆମେ ଆମର ହଜାର ହଜାର ବର୍ଷର ପୁରୁଣା ପରମ୍ପରା, ଜ୍ଞାନ ଏବଂ ସଂସ୍କୃତିକୁ ନ ଜାଣିଛୁ, ସେପର୍ଯ୍ୟନ୍ତ ଆମେ ବ୍ରିଟିଶ ମାନେ ଆମକୁ ଯେପରି ଦେଖାଇଛନ୍ତି ସେହିପରି ରହିବୁ।
ସେ ତାଙ୍କ X ରେ ପିଲାମାନଙ୍କ ସହିତ ତାଙ୍କର ଆଲୋଚନାର ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ପିଲାମାନଙ୍କୁ ଏହି ପ୍ରଶ୍ନ ପଚାରୁଥିବାର ଦେଖାଯାଉଛି। ଏହା ଉପରେ, ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ଯେ ହନୁମାନ ଜୀଙ୍କ ପୂର୍ବରୁ ମଧ୍ୟ ଅନେକ ଦେବା ଦେବୀ ମହାକାଶରେ ଭ୍ରମଣ କରିଆସୁଛନ୍ତି ।