ଲାଞ୍ଜିଗଡ଼,୨୪/୮ : କଳହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା। ବିଜେପୁର ପଞ୍ଚାୟତ ବଣ୍ଡେଲ ପଡ଼ାରେ ଗତ ମଙ୍ଗଳବାର ଗାଁର ମିଶ୍ର ମାଝୀଙ୍କ ସ୍ତ୍ରୀ କାଞ୍ଚଙ୍କ ପ୍ରସବ ଯନ୍ତ୍ରଣା ହୋଇଥିବାବେଳେ ରାସ୍ତା ନ ଥିବା ଯୋଗୁଁ ଗାଁକୁ ଆସି ପାରିନଥିଲା ଆମ୍ବୁଲାନ୍ସ । ମହିଳା ଜଣଙ୍କ ବର୍ଷାରେ ଭିଜି ଭିଜି ୧ କି.ମି. ଦୂର ଆସିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଥିଲା ।
ମାତ୍ର ପୁଣି ୭ ଦିନ ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର କୁଟିଆକନ୍ଧଙ୍କ ପୋଡାପଦର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିବାବେଳେ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଗର୍ଭବତୀ ଶନିବାର ସନ୍ଧ୍ୟା ୭ ଟାରେ ୧ କି.ମି. ବାଟ ଚାଲିବା ପରେ ରାସ୍ତାରେ ଏକ ଶିଶୁପୁତ୍ର ଜନ୍ମ ଦେଇ ପୁତ୍ରକୁ ଧରି ଚାଲିଥିବା ଜଣାପଡ଼ତଛି ।
ସୂଚନା ଅନୁସାରେ, ବିଜେପୁର ପଞ୍ଚାୟତ ପୋଡାପଦରର ଡ଼ମେ ମାଝୀଙ୍କ ସ୍ତ୍ରୀ ଜନନୀ ମାଝୀଙ୍କ ଶନିବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା। କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚି ଥିଲା ସତ କିନ୍ତୁ ରାସ୍ତା ନଥିବା ଯୋଗୁଁ ଗାଁକୁ ଯାଇ ନପାରି ୧ କି.ମି. ଦୂର କଳାକୁପା-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ବିଜେପୁର ବଜାର ପଡା ନିକଟରେ ଅଟକି ରହିଥିଲା।ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଜନନୀ ତାଙ୍କ ପରିବାର ଓ ଗାଁର ମହିଳାମାନଙ୍କ ସହିତ ପ୍ରାୟ ୫୦୦ ମିଟର ପାଦାଚଲା ଚାଷ ଜମି ରାସ୍ତାରେ ଚାଲିବା ପରେ ଏକ ନାଳ ପାଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।ଏହାପରେ ପୁଣି ଜନ୍ମିତ ଶିଶୁପୁତ୍ରଙ୍କୁ ଧରି ୫୦୦ ମିଟର ପାଦଚଲା ରାସ୍ତାରେ ଚାଲି ଚାଲି ଯାଇ ବିଜେପୁର ବଜାରପଡା ନିକଟରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସକୁ ଆସିବା ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଡାକ୍ତରଖାନାକୁ ପଠାଯାଇଥିଲା।
ପୋଡାପଦରବାସୀଙ୍କ କହିବା ଅନୁସାରେ ଗାଁରେ ୧୦୦ ବର୍ଷ ହେବ ୧୨ଆଦିବାସୀ ପରିବାର ବସବାସ କରୁଛୁ । ଆମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ରାସ୍ତା ନ ଥିବାରୁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗୁଛୁ । ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ ୧ କିମି ବୋହି କି ମୁଖ୍ୟ ରାସ୍ତା ନେବାକୁ ପଡିଥାଏ । ରାସ୍ତା ଟିଏ ନ ଥିବାରୁ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଥିବାବେଳେ ସରକାର ପକ୍ଷରୁ ମିଳିଥିବା ଘର ଖଣ୍ଡେ ମଧ୍ୟ ନିର୍ମାଣ କରିପାରୁନାହୁଁ । ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତସପନ ହୋଇଛି । କେବଳ ପୋଡାପଦର ନୁହେଁ ବ୍ଲକ୍ରେ ବର୍ତ୍ତମାନ ମଧ୍ୟ ୬୦ରୁ ଅଧିକ ଗ୍ରାମକୁ ପାଦଚଲା ରାସ୍ତା ରହିଥିବା ବେଳେ ଏଭଳି ସମସ୍ୟା ନିତି ଦିନିଆ ହୋଇ ପଡ଼ିଥିବାବେଳେ ଦୁର୍ଗମ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।