ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସମୁଦ୍ର ସ୍ନାନ ଓ ବେଳାଭୂମି ସୁରକ୍ଷା ନେଇ ପ୍ରଶ୍ନବାଚୀ, ଚଳିତ ବର୍ଷ ଗଲାଣି ୬ ଯାତ୍ରୀଙ୍କ ଜୀବନ

Published By : Swapna Ray | August 24, 2025 3:34 PM

ପୁରୀ, ୨୪।୮: ପୁରୀ ଜିଲ୍ଲାକୁ ଘେରି ରହିଥିବା ବିଶାଳ ସମୁଦ୍ରକୂଳ ଏବେ ଯାତ୍ରୀଙ୍କ ଆମୋଦପ୍ରମୋଦର ପ୍ରମୁଖ ସ୍ଥାନ ପାଲଟିଛି । ପୁରୀର ଷ୍ଟର୍ଲିଂ-ପେଣ୍ଠକଟା ବେଳାଭୂମି ବାଦ୍‌ ଏବେ ବ୍ରହ୍ମଗିରି, ଗୋପ, କୋଣାର୍କ, ଅସ୍ତରଙ୍ଗ ପ୍ରଭୃତି ଅଞ୍ଚଳକୁ ସଂଯୋଗ କରୁଥିବା ବେଳାଭୂମିଗୁଡ଼ିକରେ ପ୍ରତିଦିନ ଲକ୍ଷାଧିକ ଯାତ୍ରୀଙ୍କ ଭିଡ଼ ଜମୁଛି । ବାଲୁଖଣ୍ଡ ଅଭୟାରଣ୍ୟ ଓ ସମୁଦ୍ରର ଏହି ମିଳନ ସ୍ଥଳରେ ଟିକିଏ ଶାନ୍ତିରେ ପରିବାର ସହ ସମୟ କଟାଇବାକୁ କାହିଁ କେତେ ଦୂରରୁ ଯାତ୍ରୀମାନେ ପୁରୀ ଛୁଟି ଆସୁଛନ୍ତି । ସମୁଦ୍ର ସ୍ନାନ କରୁଛନ୍ତି ଓ ବେଳାଭୂମିରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଛନ୍ତି । ଏଥିସହ ବାଲୁଖଣ୍ଡର ପିକନିକ୍‌ ସ୍ପଟମାନଙ୍କରେ ଭୋଜି ଭାତ ଖାଇ ପୁଣି ନିଜ ସ୍ଥାନକୁ ଫେରି ଯାଉଛନ୍ତି । ଦେଶୀ, ବିଦେଶୀ ଯାତ୍ରୀଙ୍କ ନିମନ୍ତେ ପୁରୀ ଛୁଟି ଓ ଅବସର ବିନୋଦର ପ୍ରମୁଖ ସ୍ଥଳ ହୋଇଛି । 

ତେବେ ସତର୍କତା ନରଖି ସମୁଦ୍ର ସ୍ନାନ କରିବା ଯାତ୍ରୀଙ୍କ ଜୀବନ ନେଉଥିବାରୁ ସେମାନଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁରୀ ସମୁଦ୍ରର ସ୍ୱର୍ଗଦ୍ୱାର ନିକଟ ଏକ ହୋଟେଲ ସମ୍ମୁଖଠାରୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ପର୍ଯ୍ୟନ୍ତ ଓ ରାମଚଣ୍ଡୀ ବେଳାଭୂମିର ଏକ ସୀମିତ ସ୍ଥାନରେ ପ୍ରାୟ ୧୦୦ ଜଣ ଲାଇଫ୍‌ ଗାର୍ଡ ମୁତୟନ କରିବାକୁ ସରକାରୀ ପଦକ୍ଷେପ ନିଆଯାଇଛି । ଅନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନାହିଁ । ସେପଟେ ଯେଉଁ ୧୦୦ ପଦବି ସୃଷ୍ଟି ହୋଇଛି ସେଥିରୁ ୩ଟି ଫାଙ୍କା ପଡ଼ିଥିବା ବେଳେ ବିଭିନ୍ନ କାରଣ ନିମନ୍ତେ ପ୍ରତିଦିନ ପ୍ରାୟ ୫ରୁ ୭ଜଣ କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି । କାମ କଲେ ଦରମା, ନହେଲେ ନାହିଁ ବୋଲି ସରକାରୀ ନିୟମ ହୋଇଥିବାରୁ ଲାଇଫ୍‌ ଗାର୍ଡମାନେ କାମରେ ମନ ଦେଉନାହାନ୍ତି । ସେମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ନା ବୀମା ଅଛି, ନା ରୋଗବ୍ୟାଧି ହେଲେ ଚିକିତ୍ସା ଖର୍ଚ୍ଚ ମିଳିବା ସୁବିଧା ରହିଛି । 

ସରକାରୀ ଲାଇଫ୍‌ ଗାର୍ଡ କୁହାଯାଉଥିଲେ ହେଁ ସୀମିତ ଦରମାରେ ହାଇରିସ୍କ ନେଇ କାମ କରିବାକୁ ପଡ଼ୁଥିବାରୁ ଅନେକଙ୍କ ଭିତରେ ଅସନ୍ତୋଷ ରହିଛି । ଏହା ସାଙ୍ଗକୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ନିମନ୍ତେ ସେମାନଙ୍କୁ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯାଉନାହିଁ । କୌଣସି ଯାତ୍ରୀ ଲହଡ଼ି ମାଡ଼ରେ ବୁଡ଼ି ଗଲେ ଖୋଜିବାକୁ ନା ଜେଟ୍‌ ସ୍କି ଅଛି, ନା ଅକ୍ସିଜେନ୍‌ ମାସ୍କ । ଜୀବନକୁ ପାଣି ଛଡ଼ାଇ ଉତ୍ତାଳ ତରଙ୍ଗ ଓ ଗଭୀର ସମୁଦ୍ର ପାଣିରେ ବୁଡ଼ିଉଠି ନିଖୋଜ୍‌ ଯାତ୍ରୀଙ୍କୁ ଠାବ କରିବାକୁ ଲାଇଫ୍‌ ଗାର୍ଡମାନେ ଚେଷ୍ଟା କରୁଛନ୍ତି । ମିଳିଲେ ଭଲ, ନହେଲେ ନାହିଁ । ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର ପରେ ଚିକିତ୍ସା ଓ ମେଡିକାଲ ସ୍ଥାନାନ୍ତର ନିମନ୍ତେ ଫାଷ୍ଟଏଡ୍‌ ସେଣ୍ଟର ଟିଏ ସମୁଦ୍ରକୂଳରେ ନାହିଁ । ମେଡିକାଲ ପର୍ଯ୍ୟନ୍ତ ନେବାକୁ ଆମ୍ବୁଲାନ୍ସଟେ ମଧ୍ୟ ମିଳୁନି । ଷ୍ଟ୍ରେଚର, ଅକ୍ସିଜେନ ମାସ୍କ ପ୍ରଭୃତି ନିମନ୍ତେ ମଧ୍ୟ ଧ୍ୟାନ ଦିଆଯାଉନି । ସମୁଦ୍ର ସ୍ନାନ କରୁଥିବା ଯାତ୍ରୀଙ୍କ ନିମନ୍ତେ ଡାକବାଜିରେ ସତର୍କ ସୂଚନା ଜାରି କରିବା ବ୍ୟବସ୍ଥା ନାହିଁ । ଚଳିତ ବର୍ଷ କେବଳ ପୁରୀ ମହୋଦଧିରେ ବୁଡ଼ି ୬ରୁ ଅଧିକ ଯାତ୍ରୀଙ୍କ ଜୀବନ ଚାଲିଗଲାଣି । 

ପୁରୀ ବେଳାଭୂମିର ଷ୍ଟର୍ଲିଂ ଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ଯାତ୍ରୀମାନେ ସମୁଦ୍ର ସ୍ନାନ ନିମନ୍ତେ ଆସୁଥିବାରୁ ସେମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ସରକାରୀ ଲାଇଫ୍‌ ଗାର୍ଡ ମୁତୟନ ଦାବି ହେଉଛି । ହେଲେ ଏଥିପ୍ରତି ପ୍ରଶାସନ କାନ ଦେଉନି । ସମୁଦ୍ରକୂଳେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ଏବେ ଯାହା ଯେତିକି ଭରସା । ସେପଟେ ଜିଲ୍ଲା ଲୋକପ୍ରିୟ ବେଳାଭୂମି ଓ ଜଳଉତ୍ସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ସହ ଉପକରଣ ଯୋଗାଇ ଦେବାକୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଯାହା ଭିତରେ ରେସ୍‌କ୍ୟୁ ଟ୍ୟୁବ୍‌, ହୁଇସିଲ, ବିଚ୍‌ ଅମ୍ରେଲା, ମେଗା ଫୋନ୍‌, ୱାକି ଟକି, ପୋର୍ଟେବୁଲ ଅକ୍ସଜେନ ସିଲିଣ୍ଡର କିଟ୍‌(୨.୨ ୱାଟର କାପାସିଟି), ବ୍ୟାଗ ଭାଲଭ ମାସ୍କ, ବାଇନା କୁଲାର, ଏଟିଭି ଏହି ତାଲିକାରେ ରହିଛି । ଏନେଇ ଜିଲ୍ଲା ପର୍ଯ୍ୟଟନ ଉପନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପର୍ଯ୍ୟଟନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉଛି । ତେବେ ଲାଇଫ୍‌ ଗାର୍ଡମାନେ ଅଗ୍ନିଶମ ବିଭାଗ ଅଧୀନରେ କାମ କରୁଥିବାରୁ ଏହି ବିଭାଗ ସମସ୍ତ ସୁରକ୍ଷା ଉପକରଣ ଓ ତାଲିମ ପ୍ରଭୃତି ଦେବା କଥା । ସରକାରୀ ଲାଇଫ୍‌ ଗାର୍ଡ ପଦବି ବୃଦ୍ଧି ନିଷ୍ପତ୍ତି ସରକାରଙ୍କ ଉପରେ ନିର୍ଭରଶୀଳ । ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନିକ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । 

ସୂଚନା ଥାଉକି, ପୁରୀ ଜିଲ୍ଲାର ସାତପଡ଼ା, ଅରଖକୁଦା, ରାଜହଂସ, ବାଲିହରଚଣ୍ଡୀ, ରାମଚଣ୍ଡୀ, ନୂଆନଈ ମୁହାଣ, ମେରାଇନ ଡ୍ରାଇଭ୍‌ର ବିଭିନ୍ନ ବେଳାଭୂମି, କୋଣାର୍କ ଓ ଅସ୍ତରଙ୍ଗ ପୀରଜାହାନିଆ ବେଳାଭୂମି ପ୍ରଭୃତି ଯାତ୍ରୀଙ୍କୁ ବର୍ଷ ତମାମ ଆକୃଷ୍ଟ କରିଥାଏ । ହେଲେ ଏହି ବେଳାଭୂମିରେ ଅନୁଷଙ୍ଗିକ ପୁଲିସ ସୁରକ୍ଷା, ଲାଇଫ୍‌ ଗାର୍ଡ ସୁରକ୍ଷା ବ୍ୟବସ୍ଥା ଓ ମେଡିକାଲ ସେବା ସୁବିଧା ନାହିଁ । ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ୨୦୨୪ ଅଗଷ୍ଟରୁ ଫେବୃଆରୀ ୨୦୨୫ ଭିତରେ ଯାତ୍ରୀଙ୍କ ଉପରେ ୯ଟି ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା ଘଟିଛି । ବେଳାଭୂମିରେ ପୁଲିସର ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.