ନୂଆଦିଲ୍ଲୀ: ଟ୍ରମ୍ପଙ୍କ ନୂଆ ଅପ୍ରବାସନ ନୀତି ପାଇଁ ପ୍ରାୟ ୪୧ରୁ ଅଧିକ ଦେଶର ଲୋକ ଆମେରିକା ଯାତ୍ରା କରିବାରେ ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ ଓ ଭୁଟାନ ଭଳି ମୋଟ୍ ୪୧ ଦେଶ ଉପରେ ବହୁ ଜଲଦି ଏହି ଭିସା କଟକଣା ନିୟମକୁ ଲାଗୁ କରାଯିବ ବୋଲି ଖବର ସରବରାହ ସଂସ୍ଥା ରିଉଟରରେ ଖବର ପ୍ରକାଶ ପାଇଛି। ତେବେ ଏଭଳି ନିଷ୍ପତି ଆମେରିକା ପାଇଁ ପ୍ରଥମ ଥର ନୁହେଁ ବୋଲି ଆମେରିକୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ଟ୍ରମ୍ପ ନିଜ ପ୍ରଥମ କାର୍ଯ୍ୟକାଳରେ ୭ଟି ବିଭିନ୍ନ ମୁସଲିମ ବହୁଳ ଦେଶ ଉପରେ ଆମେରିକା ଯାତ୍ରାକୁ ନେଇ ରହିତାଦେଶ ଲଗାଇ ସାରିଛନ୍ତି।
ଆମେରିକୀୟ ସୁରକ୍ଷା ପରିଷଦ ଦ୍ୱାରା ପାକିସ୍ତାନ ସହ ଅନ୍ୟ ୨୬ ଦେଶକୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ଯେଉଁମାନଙ୍କ ଉପରେ ଭିସା କଟକଣା ଲଗାଇବାକୁ ଆଉ ମାତ୍ର ୬୦ ଦିନର ସମୟ ଦିଆଯାଇଛି ବୋଲି ଜଣାପଡିଛି। ଯଦି ଏହି ସମୟକାଳ ମଧ୍ୟରେ ଶେହବାଜ ସରିଫହ୍କ ସରକାର ଏନେଇ ଆମେରିକାକୁ ସ୍ପଷ୍ଟ ତଥ୍ୟ ନଦିଅନ୍ତି ତେବେ ପାକିସ୍ତାନ ନାଗରିକଙ୍କ ଉପରେ ସ୍ଥାୟୀ ଭାବେ ଭିସା କଟକଣା ଲାଗୁ କରାଯିବ ବୋଲି ସୂଚନା ରହିଛି। ଅନ୍ୟପଟେ ତୁର୍କମେନିସ୍ତାନ, ବେଲାରୁଷ, ଭୁଟାନ ଓ ଭନୁଆଟୁ ଭଲି ଦେଶ ମଧ୍ୟ ଏନେଇ ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି।
ଚଳିତ ସପ୍ତାହର ପ୍ରାରମ୍ଭରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ଏହି ରିପୋର୍ଟକୁ ଖଣ୍ଡନ କରିବା ସହ ଏହାକୁ ତୁଚ୍ଛା ଭ୍ରାନ୍ତିକର ଖବର ବୋଲି କହିଥିଲେ। ସେହିପରି ପାକିସ୍ତାନର ବୈଦେଶିକ ପ୍ରବକ୍ତା ସାଫକତ ଅଲ୍ଳୀ ଖାନ ଆମକୁ ଏନେଇ କୈଣସି ଆଧିକାରୀକ ପତ୍ର ମିଳିନାହିଁ, ତେଣୁ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ।
ନିକଟରେ ମିଲିଥିବା କବର ଅନୁଯାୟୀ ଚଳିତ ସପ୍ତାହରେ ପାକିସ୍ତାନୀ ରାଷ୍ଟ୍ରଦୂତ କେକେ ଏହସାନ ୱାଗାନ ତୁର୍କମେନିସ୍ତାନ ଦେଇ ଆମେରିକାରେ ପ୍ରବେଶ କରିବାକୁ ଯାଉଥିଲେ। ତେବେ ଆମେରିକାର ସୁରକ୍ଷା ଅଧିକାରୀମାନେ ତାଙ୍କୁ ଲସ୍ ଆଞ୍ଜେଲସ୍ ବିମାନ ବନ୍ଦରରେ ଅଟକାଇବା ସହ ପାକିସ୍ତାନକୁ ପଠାଇ ଦେଇଥିଲେ। ଯାହାକୁ ନେଇ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଆମେରିକା ଏନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଦେଇ ନଥିବା ବେଳେ, ରିପୋର୍ଟ ଅନୁଯାୟୀ ଏହସାନଙ୍କୁ ଆମେରିକାର ଇମିଗ୍ରେସନ ସିଷ୍ଟମ "ବିବାଦୀୟ ଭିସା ରେଫରେନ୍ସ" ଦ୍ୱାରା ଚିହ୍ନଟ କରାଯାଇଥିବାରୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି ବୋଲି ସୂଚନା ମିଳିଛି।
ଆମେରିକା ଜାରି କରିଥିବା ନୂଆ ଭିସା କଟକଣା ଅନୁଯାୟୀ ମୋଟ୍ ୧୦ଟି ଦେଶକୁ ଲାଲ୍ ତାଲିକାଭୁକ୍ତ କାରାଯାଇଛି। ଯାହା ଫଳରେ ଉକ୍ତ ଦେଶର ନାଗରିକମାନଙ୍କ ଉପରେ ଆମେରିକା ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଲଗାଯାଇଛି। ସ୍ଥାୟି କଟକଣା ଲଗାଯାଇଥିବା ଦେଶ ଗୁଡିକ ହେଲେ ଆଫଗାନିସ୍ଥାନ, କ୍ୟୁବା, ଇରାନ, ଲିବିୟା, ନର୍ଥକୋରିଆ, ସୋମାଲିଆ, ସୁଦାନ, ସିରିୟା, ଭେନିଜୁଏଲା ଓ ୟେମେନ।
ଆଗକୁ ଆଉ 5ଟି ଦେଶ ଉପରେ ଏହି ନିୟମ ଲାଗୁ କରାଯିବାର ଯୋଜନା ମଧ୍ୟ ରହିଛି। ଏହି ୫ ଦେଶ ମଧ୍ୟରେ ଇରିଟ୍ରିଆ, ହାଇତି, ଲାଓସ, ମିଆଁମାର ଓ ସାଉଥ ସୁଡାନ ରହିଛିନ୍ତି। ଯଦି ଏହି ନିୟମ ଲାଗୁ କରାଯାଏ ତେବେ ଉକ୍ତ ଦେଶ ଗୁଡିକ ଟୁରିଷ୍ଟ ଓ ଷ୍ଟୁଡେଣ୍ଟ ଭିସା ସହିତ ଅନ୍ୟନ୍ୟ ଭିସା ପାଇବାରୁ ବଞ୍ଚିତ ହେବେ।