ପ୍ରମୂଖ ଖବର
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ

ଭୁବନେଶ୍ୱର, ୦୮/୦୬ : ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ । ଏଯାଏ ଏ ପ୍ରଶ୍ନର ଉତ୍ତର ମିଳିନି । ସସ୍‌ପେନ୍ସରେ ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ସୁରେଶ ପୂଜାରୀଙ୍କ ଯାଏ ବହୁ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କିଏ ଚୂଡ଼ାନ୍ତ ଏଯାଏ ଉତ୍ତର ମିଳିନି । ବିଜେପିର ବିଧାୟକ ଓ ନେତାମାନଙ୍କ ସହ ରାଜ୍ୟବାସୀ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ତେବେ ଦଳ ସୂତ୍ର କହୁଛି, ଦିଲ୍ଲୀରେ ନାମ ଚୂଡ଼ାନ୍ତ ହେବା ପରେ ପର୍ଯ୍ୟବେକ୍ଷକ ଏଠାକୁ ଆସିବେ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନାଁ ରେ ଲାଗିବ ମୋହର । 

ଶନିବାର ବିଧାୟକ ଦଳ ବୈଠକ ବସିବାର ଥିଲେ ମଧ୍ୟ ବିଳମ୍ବିତ ରାତି ଯାଏ ବିଧାୟକମାନଙ୍କୁ କିଛି ସୂଚନା ମିଳିନି । ଦିଲ୍ଲୀର ସୂଚନାକୁ ଏଠି ଦଳ ଅପେକ୍ଷା କରିଛି । ଆଶା କରାଯାଉଛି ୯ କିମ୍ବା ୧୦ ତାରିଖ ସକାଳେ ବସିବ ବିଧାୟକ ଦଳ ବୈଠକ । ୧୦ ସଂଧ୍ୟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ମାତ୍ର ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ । ବିଜେପିର ନବ ନିର୍ବାଚିତ ସାଂସଦ, ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରେ ଅଛନ୍ତି । ଆଜି ବିଜେପି ସଂସଦୀୟ ଦଳ ବୈଠକ ସରିଥିଲେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନେଇ ଆଲୋଚନା ହୋଇପାରିନି । ଶନିବାର ଏ ସଂପର୍କରେ ଆଲୋଚନା ହେବ ବୋଲି କୁହାଯାଉଛି । ଭୁବନେଶ୍ୱର ବିଜେପି ଦଳୀୟ କାର୍ଯ୍ୟାଳୟରୁ ଆରମ୍ଭ କରି ପାୱାର କରିଡରରେ ମଧ୍ୟ ଏହାକୁ ନେଇ ସସ୍‌ପେନ୍ସ ଲାଗି ରହିଛି । ୧୦ରେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି । ଜନତା ମଇଦାନରେ ଟେଣ୍ଟ କାମ ଦ୍ରୁତ ଗତିରେ ହେଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ମେଗା ଉତ୍ସବ ପାଇଁ କାମକୁ ତ୍ୱରାନ୍ୱିତ କରାଯାଇଛି । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରାୟ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିର ହେଭିୱେଟ ଆସିବାର କାର୍ଯ୍ୟକ୍ରମ ରହିଛି । ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ସବୁ ବ୍ୟବସ୍ଥା ହେଉଛି । ଆଜି ଏସପିଜି ଟିମ୍‌ ସଭାସ୍ଥଳ ପରିଦର୍ଶନ କରିଥିଲେ । ରାଜ୍ୟର ଶାସନ ବ୍ୟବସ୍ଥା ଗତ ୨୪ ବର୍ଷ ହେବ ଗୋଟିଏ ଟ୍ରାକରେ ଚାଲିଥିଲା । ମାତ୍ର ସରକାର ବଦଳିବା ପରେ ଲୋକସେବା ଭବନରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଫିସ ଯାଏ ସବୁଠି ନାନା ଚର୍ଚ୍ଚା । ନୂଆ ସରକାରର କାର୍ଯ୍ୟଧାରା କେମିତି ରହିବ? ଗତାନୁଗତିକ ଢ଼ାଞ୍ଚାରେ ଶାସନ ଚାଲିବ ନା କିଛି ପରିବର୍ତ୍ତନ ହେବ ତାକୁ ନେଇ ମଧ୍ୟ ଅଫିସର ମହଲରେ ଦ୍ୱନ୍ଦ୍ୱ । ବିଜେପି ସରକାର କରିବାକୁ ଯାଉଥିବାରୁ ମନ୍ତ୍ରୀପଦ ଉପରେ ବହୁ ହେଭିୱେଟ୍‌ଙ୍କ ଆଖି । ପ୍ରାୟ ୩ ଡଜନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଉଦ୍ୟମ କରୁଛନ୍ତି । ଦଳ କେଉଁ ଆଧାରରେ ମନ୍ତ୍ରୀପଦ ବାଣ୍ଟିବ ତାହା ସ୍ପଷ୍ଟ ହୋଇନି । କିଛି ବିଧାୟକ ଦିଲ୍ଲୀ ଲବିକୁ ତେଜିଛନ୍ତି । ମାତ୍ର ସବୁକିଛି ନିର୍ଭର କରୁଛି କିଏ ହେବ ମୁଖ୍ୟମନ୍ତ୍ରୀ? ସମସ୍ତଙ୍କ ଆଖି ବିଜେପି ବିଧାୟକ ଦଳ ବୈଠକ ଉପରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.