ତିହିଡ଼ି,୨୬ା୩ (ଆ.ପ୍ର): ସରି ସରି ଆସୁଛି ଧାନ କିଣା ଟାର୍ଗେଟ୍ । ଜିଲ୍ଲା ଯୋଗାଣ ବିଭାଗ ହାତର ଆଉମାତ୍ର ୫୦ ହଜାର କ୍ୱିଣ୍ଟାଲ ଟାର୍ଗେଟ ରହିଛି । ୧୫ ଦିନ ହେବ ଚାଷୀଙ୍କ ଧାନ ନିଜ ଖଳାରେ ଶେଷ ହୋଇଯାଇଥିବା ବେଳେ କିଛି ଦଲାଲ ବାହାର ବ୍ଲକରୁ କିଛି ଧାନକୁ କିଣି ଚାଷୀଙ୍କ ଟୋକନକୁ ଆଣି ମଣ୍ଡିରେ ଭିଡ଼ ଲଗାଇଛନ୍ତି । ଚଳିତ ୨୦୨୪-୨୫ ଧାନ ବିକ୍ରି ବର୍ଷରେ ଜିଲ୍ଲା ଯୋଗାଣ ବିଭାଗ ୭ଟି ବ୍ଲକର ୧୫୦ଟି ଧାନ ମଣ୍ଡି ପାଇଁ ୩୪ ଲକ୍ଷ ୪୭ ହଜାର କ୍ୱିଣ୍ଟାଲ ଟାର୍ଗେଟ ଦେଇଥିଲେ । ତେବେ ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ୩୩ ଲକ୍ଷ ୯୪ ହଜାର ୬୧୨ କ୍ୱ ିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆହୋଇଛି । ତେଣୁ ହାତରେ ମାତ୍ର ୫୦ ହଜାର କ୍ୱିଣ୍ଟାଲ ରହିଛି ।
ତଥ୍ୟ ଅନୁସାରେ ୮୦ହଜାର ୫୩୩ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ମାର୍ଚ୍ଚ ୨୬ ତାରିଖ ସୁଦ୍ଧା ୭୬ହଜାର ୮୩ ଚାଷୀ ଧାନ ବିକି ସାରିଲେଣି । ଏମାନଙ୍କ ମଧ୍ୟରୁ ୭୦ହଜାର ୯୧୭ ଚାଷୀଙ୍କୁ ପ୍ରାପ୍ୟ ମିଳିଛି । ଜିଲ୍ଲାରେ ୭ଟି ବ୍ଲକର ୧୫୧ଟି ମଣ୍ଡି ପାଇଁ ୩୩.୯୪.୪୩୮ କ୍ୱିଣ୍ଟାଲ ଧାନ ଟାର୍ଗେଟ୍ ଦିଆଯାଇଥିବା ବେଳେ ସେଥିରୁ ୪୨ଟି ମିଲ ମାଧ୍ୟମରେ ୩୨.୯୪.୪୩୮ କ୍ୱିଣ୍ଟାଲ ଧାନ କିଣାଯାଇଛି । ୪୨ଟି ମିଲର ନିଜ ଟ୍ରକ ଯୋଗେ ଉଠାଇଛନ୍ତି ୩୨ ଲକ୍ଷ ୬ ହଜାର କ୍ୱିଣ୍ଟାଲ । ଆହୁରି ମଣ୍ଡିରେ ୮୮ ହଜାର ୩୪୩ କ୍ୱିଣ୍ଟାଲ ଧାନ ପଡ଼ିରହିଛି । ୧୫ ଦିନ ହେବ ଚାଷୀ ନିଜ ଖଳାରେ ଧାନ ଶେଷ କରିଦେଇଥିବା ବେଳେ କିଛି ଧାନ ଦଲାଲ ମଣ୍ଡି ସମ୍ପାଦକଙ୍କ ଉପରେ ଚାପ ସୃଷ୍ଟି କରି ଟୋକନ ମାଧ୍ୟମରେ ବେପାର କରୁଛନ୍ତି । ତଥ୍ୟ ଅନୁସାରେ ମଣ୍ଡିରେ ପଡ଼ିଥିବା ୮୮ ହଜାର କ୍ୱିଣ୍ଟାଲ ମଧ୍ୟରୁ ତିହିଡ଼ ବ୍ଲକରେ ୨୭.୯୧୬, ଧାମନଗର ବ୍ଲକରେ ୬୧୮୬, ଚାନ୍ଦବାଲି ବ୍ଲକରେ ୧୧.୨୧୬, ବନ୍ତ ବ୍ଲକରେ ୭୩୯୪, ଭଣ୍ଡାରିପୋଖରୀ ବ୍ଲକରେ ୯୯୦୨, ଭଦ୍ରକ ବ୍ଲକରେ ୧୭.୭୦୧, ବାସୁଦେବପୁର ବ୍ଲକରେ ୮୦୨୬ କ୍ୱିଣ୍ଟାଲ ଧାନ ଅର୍ନ୍ତଭୂକ୍ତ ।