ତିହିଡି,୨୯/୩ : ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ ମସିହା ଅକ୍ଟୋବର ମାସରେ ପୂର୍ବ ସରକାରଙ୍କ ସମୟରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇ ‘ଆମ ଓଡିଶା ନବୀନ ଓଡିଶା’ ନାମରେ ଉନ୍ନୟନ କାମକରିବାକୁ ଉଦ୍ୟମ ହୋଇଥିଲା । ହେଲେ ଏହି ପ୍ରକଳ୍ପ ସରିବା ପୂର୍ବରୁ ସରକାର ବଦଳି ଗଲା । ନୂଆ ସରକାର ଆସିବାର ୮ ମାସ ବିତିଗଲାଣି । ହେଲେ ଜିଲ୍ଲା ସ୍ତରରେ ପ୍ଲାନିଂ ବୋର୍ଡ ନୂଆ ଭାବେ ଗଠନ ହୋଇନଥିବାରୁ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରି ମିଳିପାରୁନାହିଁ । ଏହି ଅବସରରେ ପୂର୍ବ ସରକାରଙ୍କ ଆମ ଏହି ପ୍ରକଳ୍ପ ଶୀତଳଭଣ୍ଡାରକୁ ଚାଲିଗଲାଣି । ନୂଆ ସରକାର ଆସିବା ପରେ ପୂର୍ବ ସରକାରର ସମସ୍ତ ପ୍ରକଳ୍ପକୁ ପ୍ରାୟତଃ ବନ୍ଦ କରିଦିଆଯାଇଛି । ତେବେ କାମ ଚାଲୁଥିବା ପ୍ରକଳ୍ପକୁ ଅନୁଦାନ ବନ୍ଦ କରାଯାଇନାହିଁ । ତରବରିଆ ଭାବେ କେବଳ ଷ୍ଟାଟେଡ ବୋଲି ଲେଖି କେତେକ ପ୍ରକଳ୍ପକଅଟକାଇଦେଇଛନ୍ତି । ଯାହାର ଭବିଷ୍ୟତ ଏବେ ଦୋଛକିରେ ।
ତିହିଡ଼ି ବ୍ଲକର ୩୧ ପଞ୍ଚାୟତରେ ୪୦୩ଟି ପ୍ରକଳ୍ପ ପୂର୍ବ ସରକାର ବାଛିଥିଲେ । ଅଚକରେ ୧୪, ବାରୋ ୧୫, ବିଲଣା ୧୫, ବୋଡକ ୧୯, ଦୋଳସାହି ୧୬, ଗୁଆମାଳ ୧୨, କାଁପଡା ୧୨,କୁବେରା ୯, ନୟାନନ୍ଦ ୧୩, ପାଳିଆବିନ୍ଧା ୧୩, ଶ୍ୟାମସୁନ୍ଦରପୁର ୧୫, ତଳଗୋପବିନ୍ଧା ୯, ତାଳପଦା ୧୦, ବାମନବିନ୍ଧା ୯, ବାରସର ୧୮, ଦୌଲତପୁର ୧୨, ଗୋବିନ୍ଦପୁର ୧୪, ହରିସିଂହପୁର ୧୩, ଜାମଯୋଡି ୧୨, ନରେନ୍ଦ୍ରପୁର ୧୩, ରାଜନଗର ୧୩, ସାହାପୁର ୧୬, ବାହାବଳପୁର ୧୩, ଭାଟ୍ଟପଡା ୧୨, ଫତେପୁର ୧୩, କୋହ୍ଲ ୧୦, ମହରମପୁର ୧୪, ମଙ୍ଗଳପୁର ୧୧, ମୁକୁନ୍ଦପୁର ୧୫, ସୟା ୧୨ ଏବଂ ସିନ୍ଦୋଳରେ ୧୧ଟି ପ୍ରକଳ୍ପକୁ ମିଶାଇ ୪୦୩ଟି ପ୍ରକଳ୍ପ ମଞ୍ଜୁର ହୋଇଥିଲା । ତିହିଡ଼ି ବ୍ଲକକୁ ୧୫ କୋଟି ୫୦ ଲକ୍ଷ ଅନୁଦାନ ମିଳିଥିଲା । ତେବେ ସରକାର ବଦଳିଯିବା ପୂର୍ବରୁ ୧୦୦ଟି ପ୍ରକଳ୍ପର କାମ ଶେଷହୋଇଥିଲା । ୧୩୧ଟି ପ୍ରକଳ୍ପର କାର୍ଯ୍ୟ ଚାଲୁଥିବାରୁ ତାହା ଉପରେ ସବୁଜ ସଂକେତ ଦେଇ ନୂଆ ସରକାର ଅଟାକାଇନଥିଲେ । ତେବେ ତରବରିଆ ଭାବେ ୭୨ଟି ପ୍ରକଳ୍ପ ଆରମ୍ଭ ହୋଇଛି ବୋଲି ଯେଉଁ କାଗଜପତ୍ର ତିଆରି ହେଲା ତାହା ଏବେ ଦୋଛକିରେ । ସେହି ୭୨ଟି ପ୍ରକଳ୍ପ ଆମ ଓଡିଶା ନବୀନ ଓଡିଶା ବଦଳରେ ବିକଶିତ ଗାଁ ବିକଶିତ ଓଡିଶା ନାମରେ ନାମିତ ହେବାକୁ ଯାଉଛି ।
ଖାଲି ସେତିକି ନୁହଁ ଏହି ୭୨ଟି ପ୍ରକଳ୍ପର କାର୍ଯ୍ୟାଦେଶ ମଧ୍ୟ ବଦଳିବ ଓ ବିଜେଡି ନେତା କର୍ମୀଙ୍କ ହାତରୁ କଢା ଯାଇ ନୂଆ କାର୍ଯ୍ୟାଦେଶ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଚକ ୨ଟି, ବାରୋ ୨ଟି, ବିଲଣା ୩, ବୋଡକ ୧, ଦୋଳସାହି ୪, ଗୁଆମାଳ ୩, କାଁପଡା ୪, ନୟାନନ୍ଦ ୨, ପାଳିଆବିନ୍ଧା ୪, ଶ୍ୟାମସୁନ୍ଦରପୁର ୩, ତାଳପଦା ୬, ବାମନବିନ୍ଧା ୩, ବାରସର ୨, ଗୋବିନ୍ଦପୁର ୧, ହରିସିଂହପୁର ୪, ନରେନ୍ଦ୍ରପୁର ୫, ରାଜନଗର ୬, ସାହାପୁର ୩, ବାହାବଳପୁର ୭, ଭାଟପଡା ୫, ଫତେପୁର ୯, କୋହ୍ଲ ୧, ମଙ୍ଗଳପୁର ୩, ମହରମପୁର ୫, ମୁକୁନ୍ଦପୁର ୬, ସୟା ୧, ସିନ୍ଦୋଳରେ ୫ଟି ପ୍ରକଳ୍ପକୁ ମିଶାଇ ମୋଟ ୧୦୦ଟି ପ୍ରକଳ୍ପର ଅନୁଦାନ ଅପସାରଣ ହେବାକୁ ଯାଉଛି । ତିହିଡ଼ି ବ୍ଲକକୁ ମିଳିଥିବା ୧୫କୋଟି ୫୦ ଲକ୍ଷ ଟଙ୍କା ଅନୁଦାନରୁ ୬ କୋଟି ୬୬ ଲକ୍ଷ ୯୬ ହଜାର ୫୪୦ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ୧୦୦ଟି ନଟ ଷ୍ଟାଡେଟ ପ୍ରକଳ୍ପର ଅନୁଦାନ ଅପସାରଣ ହେବାକୁ ଯାଉଥିବା ବେଳେ ସେହି ଅନୁଦାନ ୩ କୋଟି ୬୮ ଲକ୍ଷ ୫୦ ହଜାରର ତାଲିକା ନୂଆ ସରକାରଙ୍କ ପାଖରେ ପହଞ୍ଚିଥିବା ଜଣାପଡ଼ିଛି ।