ଭଣ୍ଡାରିପୋଖରୀ,୨୬ା୩(ଆ.ପ୍ର): ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ୩୦ କିଲୋମିଟର ବ୍ୟାପି ନଦୀ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ବେଆଇନ ଇଟାଭାଟି ଜଳୁଛି । ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଶ୍ୱର୍ ଓ ନଦୀବନ୍ଧ ପାଶ୍ୱର୍ରେ ମାଳ ମାଳ ଇଟାଭାଟି ଜଳୁଛି । ଝୁଟୁଣା, ନେରଡ଼ା, ବନସ୍ତା ଆଦି ଗ୍ରାମଗୁଡ଼ିରେ ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକ ବେଆଇନ ଇଟାଗଢା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନଦୀରୁ ମିଳୁଥିବା ବାଲି, ନଦୀପଠାରୁ ଉପଲବ୍ଧ ବାଲିଆ ମାଟି ଓ ସ୍ଥାନୀୟ ଶ୍ରମଶକ୍ତିକୁ ଉପଯୋଗ କରି ଇଟା ମାଫିଆମାନେ ବ୍ୟାପକ ଇଟାଗଢା କାର୍ଯ୍ୟ ବର୍ଷ ବର୍ଷ ଧରି ଚଳାଇଛନ୍ତି । ବେଆଇନ ଇଟା ଉପରେ କାର୍ଯ୍ୟାନୁଷ୍ଠାନ ଆଳରେ ଅସାଧୁ ରାଜସ୍ୱ କର୍ମଚାରୀମାନେ ଜରିମାନା ଆଦାୟକୁ ଗୌଣ କରି ବ୍ୟକ୍ତିଗତ ଅର୍ଥ ରୋଜଗାର ଉପରେ ପ୍ରଧାନ୍ୟ ଦେଉଥିବା ଯୋଗୁଁ ଇଟାଗଢା ଉପରେ ଅଙ୍କୁଶ ଲାଗିପାରୁନି । ଇଟା ମାଫିଆମାନେ ରାଜନେତାଙ୍କ ପୃଷ୍ଠପୋଷକତା ଲାଭ କରି କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବାରେ ସଫଳ ମଧ୍ୟ ହେଉଛନ୍ତି । ମାତ୍ର ଗତ ୨ ବର୍ଷ ଧରି ବେଆଇନ ଇଟାଗଢା ଉପରେ କାର୍ଯ୍ୟାନୁଷ୍ଠାନ ଦାଇତ୍ୱ ଲଘୁଖଣିଜ ବିଭାଗକୁ ସରକାର ପ୍ରଦାନ କରିଥିଲେ । ଲଘୁଖଣିଜ କାର୍ଯ୍ୟାଳୟ କେବଳ ଜିଲ୍ଲାସ୍ତରରେ ଗୋଟିଏ ରହିଛି । କ୍ଷେତ୍ରୀୟ କର୍ମଚାରୀମାନେ ଯେଉଁ କାର୍ଯ୍ୟ ତୁଲାଇ ପାରୁନଥିଲେ ତାହାକୁ ଲଘୁଖଣିଜ ଜିଲ୍ଲା କାର୍ଯ୍ୟାଳୟ ତୁଲାଇବା ଅସମ୍ଭବ ଥିଲା । ପୂର୍ବରୁ ରାଜସ୍ୱ ନିରୀକ୍ଷକ ଓ ତହସିଲ ଯାହାବି କିଛି ଜରିମାନା ବେଆଇନ ଇଟା ଉପରୁ ଆଦାୟ କରୁଥିଲା ସେତେକ ବି ବନ୍ଦ ହୋଇଗଲା ।
ଏଭଳି ପରିସ୍ଥିତିରେ ଜିଲ୍ଲା ଲଘୁଖଣିଜ ଅଧିକାରୀ ଅନିଲ କୁମାର ଦାସ ବେଆଇନ ଇଟାଗଢା କାର୍ଯ୍ୟାନୁଷ୍ଠାନ କେବଳ ବାଲେଶ୍ୱରସ୍ଥିତ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ନେଇପାରିବ ବୋଲି ମତ ରଖି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛନ୍ତି । ପରସ୍ପର ଉପରୁ ଦାୟିତ୍ୱ ଖସାଇ ଦେବା ସୁଯୋଗରେ ଇଟା ମାଫିଆମାନଙ୍କ ବେଆଇନ ବ୍ୟବସାୟ ଗତ ୨ ବର୍ଷରେ ଦ୍ୱିଗୁଣିତ ହୋଇଛି । ଜଣେ ଜଣେ ଇଟା ମାଫିଆ ବର୍ଷକୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲାଭ ଉଠାଉଥିବା ଜଣାଯାଇଛି । ଏହା ଦ୍ୱାରା ନଦୀ ଉପକୂଳର ପ୍ରାକୃତିକ ପର୍ଯ୍ୟାବରଣ ବିପର୍ଯ୍ୟସ୍ତ ହେବା ସହ ପ୍ରଦୂଷଣ ଓ ତାପାୟନ ବୃଦ୍ଧିର କାରଣ ପାଲଟିଛି । ସମ୍ପ୍ରତି କେବଳ ରାଜ୍ୟସ୍ତରୀୟ କଡ଼ା ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ସ୍ଥାନୀୟ ପୁଲିସ ବାଧ୍ୟବାଧ୍ୟକତାରେ ବେଆଇନ ବାଲି ପରିବହନ ଉପରେ ଆରମ୍ଭ କରିଥିବା କାର୍ଯ୍ୟାନୁଷ୍ଠାନ କେତାକାଂଶରେ ଫଳପ୍ରଦ ହୋଇଛି । ମାତ୍ର ବେଆଇନ ଇଟାଗଢା ଉପରେ ସେଭଳି ନିଷ୍ପତ୍ତି ନହଲେ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ବେଆଇନ ଇଟାଗଢା ଉପରେ ନିୟନ୍ତ୍ରଣ ଆଶା କରିବା ବୃଥା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।