କଟକ, ୩।୭: ଗର୍ଭଧାରଣ କରି ନଥିଲେ ମଧ୍ୟ ସରୋଗେସି ପଦ୍ଧତିରେ ମା’ ହେଉଥିବା ମହିଳାଙ୍କୁ ପ୍ରସବକାଳୀନ ଛୁଟି ଦିଆଯିବା ଉଚିତ୍ । ନିଜ ସନ୍ତାନର ଯତ୍ନ ଓ ଭାବଗତ ସଂପର୍କ ଦୃଷ୍ଟିରୁ ପ୍ରସବକାଳୀନ ଛୁଟିର ଗୁରୁତ୍ୱ ରହିଛି । ତେଣୁ ପରବର୍ତ୍ତିତ ସମୟରେ ଏଭଳି ଏକ ନୂଆ ପ୍ରସଙ୍ଗକୁ ତର୍ଜମା କରି ଆଇନରେ ସାମିଲ କରିବା ଉଚିତ ହେବ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ମାମଲାରୁ ମିଳିଥିବା ସୂଚନା ଅନୁସାରେ, ଗର୍ଭଧାରଣରେ ସମସ୍ୟା କାରଣରୁ ସୁପ୍ରିୟା ଜେନା ସରୋଗେସି ପଦ୍ଧତିରେ ମା’ ହୋଇଥିଲେ । ମୁମ୍ବାଇର ଜଣେ ମହିଳା ତାଙ୍କ ପାଇଁ ସରୋଗେସି ମା’ ହୋଇଥିଲେ । ୨୦୧୮ ଅକ୍ଟୋବର ୨୫ରେ ପିଲା ଜନ୍ମ ହୋଇଥିଲା । ପିଲାର ଲାଳନପାଳନ ପାଇଁ ଘରେ କେହି ନଥିବାରୁ ଅର୍ଥନୈତିକ ପରାମର୍ଶଦାତା ଭାବେ ଚାକିରି କରୁଥିବା ଆବେଦନକାରିଣୀ ଅର୍ଥ ବିଭାଗରୁ ପ୍ରସବକାଳୀନ ଛୁଟି ପାଇଁ ଆବେଦନ କରିଥିଲେ । ଛୁଟିରେ ରହିବା ପରେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ଯଦିଓ ତାଙ୍କୁ ପ୍ରସବକାଳୀନ ଅବଧି ଲାଗି ଧାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯାଇଥିଲା କିନ୍ତୁ ଉକ୍ତ ଛୁଟି ସମୟ ତାଙ୍କ ପଦୋନ୍ନତିରେ ଗଣାଯାଇ ପାରିବନାହିଁ ବୋଲି ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ଓଡ଼ିଶା ସର୍ଭିସ କୋଡ୍ ଅନୁସାରେ ସରୋଗେସି ଜରିଆରେ ମା’ ହୋଇଥିବା ମହିଳାଙ୍କୁ ପ୍ରସବକାଳୀନ ଛୁଟି ଦିଆଯାଇ ପାରିବନାହିଁ ବୋଲି ନିୟମ ଥିବାରୁ ଆବେଦନକାରିଣୀଙ୍କୁ ଛୁଟିକୁ ବାଦ୍ ଦିଆଯାଇଥିଲା । ଏହାକୁ ଚାଲେଞ୍ଜ କରି ଆବେଦକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି ଅର୍ଥ ବିଭାଗ ନିର୍ଦ୍ଦେଶନାମାକୁ ରଦ୍ଦ କରିବା ସହ ଆବେଦନକାରିଣୀଙ୍କୁ ୧୮୦ ଦିନର ପ୍ରସବକାଳୀନ ଛୁଟି ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏହି ଅବସରରେ କହିଛନ୍ତି ଯେ, ମାତୃତ୍ୱ ଲାଭ ପାଇଁ ସରୋଗେସି ପଦ୍ଧତିକୁ ସମର୍ଥନର ଆବଶ୍ୟକତା ରହିଛି ।
ତେଣୁ ସରୋଗେସି ଜରିଆରେ ଜଣେ ମା’ ହେବା ପରେ ପିଲା ପ୍ରତି ଯତ୍ନଶୀଳ ହେବା ଏବଂ ତାକୁ ସମୟ ଦେବାଲାଗି ଜଣେ ବୃତ୍ତିଧାରୀ ମହିଳାଙ୍କୁ ପ୍ରସବକାଳୀନ ଛୁଟି ଦିଆଯିବା ଉଚିତ୍ । କୌଣସି ପୁରୁଣା ଆଇନ ଯଦି ଏଭଳି କ୍ଷେତ୍ରରେ ବାଧକ ସାଜୁଛି ତାହେଲେ ସାମ୍ପ୍ରତିକ ସ୍ଥିତିକୁ ନେଇ ତାହାର ତର୍ଜମା କରାଯିବା ଆବଶ୍ୟକ । ମହିଳାଙ୍କ ସୁରକ୍ଷା ପାଇଁ ଥିବା ମାଟର୍ନିଟି ବେନିଫିଟ୍ ଆଇନ-୧୯୬୧ର ତର୍ଜମା କରାଯିବା ଦରକାର । ଯାହାଦ୍ୱାରା ସରୋଗେସି ପଦ୍ଧତିରେ ମା’ ହେଉଥିବା ଜଣେ ମହିଳାଙ୍କୁ ଏହି ଆଇନ ସୁରକ୍ଷା ଦେଇପାରିବ ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି ।