ଭୁବନେଶ୍ୱର,୧୦/୦୨: ଛଟପଟ ମନ । ଜୋରଦାର ଲବି । ବିଜେପି ସରକାରକୁ ୮ ମାସ ପୂରିବାକୁ ଯାଉଛି । ଖାଲିଥିବା ୬ ମନ୍ତ୍ରୀ ପଦ ପୂରଣ ହୋଇନି । ଆଗକୁ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ମିଳୁଛି ସୂଚନା । ଏଥିପାଇଁ କାଳେ ଦିଲ୍ଲୀ ହାଇକମାଣ୍ଡଙ୍କ ସହ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା କରି ସାରିଛନ୍ତି । କେଉଁ ସୂତ୍ରରେ ଏ ଖାଲି ମନ୍ତ୍ରୀ ପଦରେ ନୂଆ ନିଯୁକ୍ତି ମିଳିବ ତା’ର ହିସାବନିକାଶ କରୁଛି ଦଳ । ତେବେ ରାଜ୍ୟ ସଭାପତି ଚୟନ ପରେ ପଛକୁ ପଛ ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ସହ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଦଳର ବିଶ୍ୱସ୍ତ ସୂତ୍ର କହୁଛି । ମନ୍ତ୍ରିମଣ୍ଡଳରେ ମଧ୍ୟ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଏଥିପାଇଁ ଯୋଗ୍ୟ ଚେହେରା ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଲଡ଼ୁ ଖାଇବାକୁ ବହୁ ବିଧାୟକ ଟାକି ବସିଛନ୍ତି । ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି । ତେବେ ଏବେ ଦୁଇ ଦିନ ହେବ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ ପାୱାର କରିଡରରେ ଆରମ୍ଭ ହୋଇଛି ଚର୍ଚ୍ଚା ।
ନୂଆଦିଲ୍ଲୀ ସୂତ୍ର କହୁଛି, ରାଜ୍ୟ ବିଜେପି ସଭାପତି ଚୟନ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ନିଗମରେ ଅଧ୍ୟକ୍ଷ ନିଯୁକ୍ତି ବିଜ୍ଞପ୍ତି ଜାରି ହେବ। ନୂଆଦିଲ୍ଲୀ ନିର୍ବାଚନ ଫଳାଫଳ ଆସି ସାରିଛି । ଓଡ଼ିଶା ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସଂଜୟ ଜୟସ୍ୱାଲ ଦିଲ୍ଲୀ ଭୋଟରେ ମଧ୍ୟ ବଡ଼ ଦାୟିତ୍ୱରେ ଥିଲେ । ସେ ଏଇ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ସଭାପତି ଚୟନ କାମ ସାରିବେ ବୋଲି ସୂଚନା ମିଳିଛି ।
ସୂତ୍ର କହୁଛି, ରାଜ୍ୟରେ ସାଂଗଠନିକ ସ୍ଥିତି ସହ ଆଗାମୀ ଦିନରେ ଦଳକୁ ଅଧିକ ମଜଭୁତ କରିବାକୁ ହାଇକମାଣ୍ଡ ଗୁରୁତ୍ୱ ଦେଉଛନ୍ତି । ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ଦୀର୍ଘମିଆଦି ଭିତ୍ତିରେ ରାଜ୍ୟରେ କ୍ଷମତାରେ ରହିବାକୁ କେନ୍ଦ୍ରୀୟ ବିଜେପି ସାଂଗଠନିକ ବିସ୍ତାରକୁ ଗୁରୁତ୍ୱ ଦେଉଛି । ସଂଗଠନକୁ ଦଳ ଅଧିକ ଗୁରୁତ୍ୱ ଦେଉଥିବାରୁ ଦଳର ସଭାପତି ପଦ ଉପରେ ଏବେ ବହୁ ନେତା ଆଖି ପକାଇଛନ୍ତି । ତେବେ ନୂଆଦିଲ୍ଲୀ ଏକରକମ ମଙ୍ଗୁଆଳ ବାଛିବା କାମ ସାରିଛି । କେବଳ ଜୟସ୍ୱାଲଙ୍କ ଉପସ୍ଥିତିରେ ନାମ ଘୋଷଣା ହେବାକୁ ବାକି ଅଛି ।
ମନ୍ତ୍ରିମଣ୍ଡଳରେ ମଧ୍ୟ ୬ ପଦବି ଖାଲି ପଡ଼ିଛି । ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ସରକାର ଚାପରେ । ଏକାଧିକ ମନ୍ତ୍ରୀଙ୍କ ହାତରେ ଏକାଧିକ ଓଜନିଆ ବିଭାଗ ରହିଛି । ତେଣୁ ସଭାପତି ଚୟନ ପରେ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ସାମିଲ ହେବାକୁ ନେଇ ଆରମ୍ଭ ହୋଇଛି ହିସାବନିକାଶ । ଏବେ ୧୭ ଜିଲ୍ଲା ମନ୍ତ୍ରୀଶୂନ୍ୟ ଥିଲା ବେଳେ ପ୍ରାୟ ୨୦ରୁ ଅଧିକ ବିଧାୟକ ମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି । କେଉଁ ଫର୍ମୁଲା ଆପଣାଇ ନୂଆ ମନ୍ତ୍ରୀଙ୍କୁ ମୋହନ ନିଜ ଟିମ୍ରେ ନେବେ ତାହା ଏବେ ତଣ୍ଟିରେ କଣ୍ଟା ହୋଇ ଲାଖିଛି । ଏହାଛଡ଼ା ୪/୫ ଜଣ ମନ୍ତ୍ରୀଙ୍କ୍ ବିଭାଗ ଅଦଳ ବଦଳ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିଛି ବିଧାୟକ ମଧ୍ୟ ଗଣମାଧ୍ୟମକୁ ଆସି ନିଜ ଆଗ୍ରହ ଦେଖାଇଲେଣି । ବିଜେପିର ଆଭ୍ୟନ୍ତରୀଣ ରାଜନୀତି ତତଲା ଧରିଲାଣି ।
ଦିଲ୍ଲୀରେ କେବେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ? ଜାଣନ୍ତୁ …
ନିଜ ଦମ୍ରେ ବିଜେପି ୨୪ ବର୍ଷର ବିଜେଡି ସରକାରକୁ ହଟାଇ କ୍ଷମତାକୁ ଆସିଲା । ଦଳ ପାଇଁ ଦୀର୍ଘ ବର୍ଷ ହେବ ପରିଶ୍ରମ କରିଥିବା ନେତାମାନଙ୍କୁ ଦଳ ଯେ ନିଶ୍ଚୟ ପୁରସ୍କୃତ କରି ନିଗମରେ ଥଇଥାନ କରିବ ଏମିତି ଆଶା ବାନ୍ଧିଛନ୍ତି କିଛି ନେତା । ମାତ୍ର ‘ଛାମୁ ଯାହା ଦେଲେ ହରଷେ...ପାଉ ପାଉ ଗଲା ବରଷେ’ ନ୍ୟାୟରେ ଏଯାଏ ନିଗମ ଲଡ଼ୁ ମିଳିନି । ଦଳୀୟ ସୂତ୍ର କହୁଛି, ୩୯ ଜଣ ନେତାଙ୍କୁ ବିଭିନ୍ନ ନିଗମ ଓ ବୋର୍ଡରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ସରିଛି । ନୂଆ ରାଜ୍ୟ ସଭାପତି ନିଯୁକ୍ତି ପରେ ନିଗମ ଓ ବୋର୍ଡରେ ଦଳୀୟ ନେତାଙ୍କୁ ଥଇଥାନ କାମରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିବ ।