ନୂଆଦିଲ୍ଲୀ, ୯/୨ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ୨୭ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ ସରକାରକୁ ଆସିଛି । ୭୦ସଦସ୍ୟ ଭିତ୍ତିକ ବିଧାନସଭାରେ ୪୮ଟି ସିଟରେ ବିଜୟୀ ହୋଇଛି । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆବାସରେ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା ଏବଂ ବିଏଲ୍ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଏବେ ଶପଥ ଗ୍ରହଣ ସମାରୋହକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ ପିଏମ୍ ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଦିଲ୍ଲୀରେ ଶପଥ ଗ୍ରହଣ ହୋଇପାରେ । ପ୍ରଧାନମନ୍ତ୍ରୀ ୧୪ଫେବୃଆରୀରେ ଭାରତକୁ ଫେରିବେ । ଏହି ଶପଥ ଗ୍ରହଣ ସମାରୋହ ଭବ୍ୟ ହେବ । ଏଥିରେ ଏନଡିଏର ନେତାମାନେ ସାମିଲ ହେବାର ଆଶା ରହିଛି । ଏହା ବ୍ୟତୀତ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବ ।
ଏହାପୂର୍ବରୁ ନିର୍ବାଚନ ଫଳାଫଳ ଆସିବା ପରେ ଶନିବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ପିଏମ୍ ମୋଦୀ, ଜେପି ନଡ୍ଡା, ଅମିତ ଶାହଙ୍କ ସହ ଶପଥ ଗ୍ରହଣ ଏବଂ ଦିଲ୍ଲୀରେ ହେବାକୁ ଥିବା ସରକାରର ରୂପରେଖକୁ ନେଇ ଚର୍ଚ୍ଚା ହୋଇଥିଲା ।