ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବୋଲେଲଗୁଡା ଗାଁରେ ଦୀର୍ଘ ବର୍ଷ ଧରି ଅଚଳ ହୋଇପଡ଼ିଛି ସୋଲାର ପ୍ରକଳ୍ପ ଓ ନଳକୂପ, ଗାଁରେ ରହି ଯାଇଛି ଅନେକ ସମସ୍ୟା

Published By : Prameya | February 22, 2025 11:15 PM

ମାଲକାନଗିରି, ୨୨/୨ : ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଛି ଜଳ ସଙ୍କଟ। ବୁନ୍ଦାଏ ପାନୀୟ ଜଳର ସୁବିଧା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି । ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡ଼ି ରହିଛି ସୋଲାର ପ୍ରକଳ୍ପ । ଏହି ଗାଁରେ ଥିବା ଏକ ମାତ୍ର ନଳକୂପର ଜଳ ଉପରେ ଗ୍ରାମବାସୀ ନିର୍ଭର କରି ଚାଲୁଛନ୍ତି। ଏହି ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଠାରୁ କିଛି କିମି ଦୂରରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଥାଇ ମଧ୍ୟ ପାଣି ପାଇଁ ଦୁର୍ଦଶା ଭୋଗୁଛନ୍ତି ଲୋକେ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ ଟର୍ନେଲକ୍ୟାମ୍ପ ପଞ୍ଚାୟତ ଅଧିନସ୍ତ ବାଲେଲଗୁଡା ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୫ ବର୍ଷ ହେବ ଗାଁରେ ଅଚଳ ହୋଇପଡିଛି ସୌରଚଳିତ ପାନୀୟ ଜଳ  ପ୍ରକଳ୍ପ। ଦୁଇଟି ମଧ୍ୟରୁ  ଗୋଟିଏ ଦୀର୍ଘ ବର୍ଷ ହେବ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି । ଅନ୍ୟ ଏକ ପ୍ରକଳ୍ପରୁ ବାହାରୁଥିବା ପାଣି ତାହା ଲୋକଙ୍କ ଲାଗି ନିଅଣ୍ଟ ହେଉଛି । ଗାଁରେ ପୋଖରୀ କିମ୍ବା ଆଖ ପାଖରେ ନଦୀ କିମ୍ବା ନାଳ ଟିଏବି ନାହିଁ । ଏହି ଗାଁରେ ବସବାସ କରୁଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାର ଲୋକେ ଏବଂ ଗାଈ ଗୋରୁ ଓ ଗୃହପାଳିତ ପ୍ରାଣୀ ଜଳ ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୋଲେଲଗୁଡା ଗ୍ରାମର ଚତୁଃପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରି ରହିଛି। ଏହା ଏକ ଦୁର୍ଗମ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ଗାଁରେ ଷ୍ଟ୍ରିଟ ଲାଇଟ ନାହିଁ। 

ସରୀସୃପ ଓ ହିଂସ୍ର ବନ୍ୟ ଯନ୍ତୁଙ୍କ ଭୟରେ ରାତି କାଟୁଛନ୍ତି ଗ୍ରାମବାସୀ। ସଞ୍ଜ ହେଲେ ଲୋକେ ଅନ୍ଧାର ରାସ୍ତାରେ ଯାତାୟତ କରିବାରେ ବହୁ ହଇରାଣ ହେଉଛନ୍ତି। ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା ଡ଼ାଇକ-୧ ଗ୍ରାମକୁ ଯାଇ ପିଡିଏସ ସାମଗ୍ରୀ ଆଣିବାକୁ ବାଧ୍ୟ ହେଉଛନ୍ତି। ଭଲ ମନ୍ଦ କାର୍ଯ୍ୟ ଓ ସଭା ସମିତି ପାଇଁ ଗାଁରେ ଏକ କମ୍ୟୁନିଟି ଘର କିମ୍ବା ଅଙ୍ଗନବାଡି କେନ୍ଦ୍ର ନାହିଁ। ଗାଁ ଠାରୁ କିଛି ଦୂର ଡାଇକ -୧ ଗ୍ରାମରେ ରହିଛି ଅଙ୍ଗନବାଡି କେନ୍ଦ୍ର। ବହୁ ଦୂର ହେଉଥିବାରୁ ଗାଁର ଶିଶୁମାନେ ଉକ୍ତ କେନ୍ଦ୍ରକୁ ଆଦୌ ଯାଉନଥିବା ଗ୍ରାମବାସୀ କହିଛନ୍ତି। ତେବେ ଗ୍ରାମରେ ଥିବା ଏହି ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଜନ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗାଁର ମୁଖିଆ ଗୋପୀ ବଡନାୟକ, ଗୋବିନ୍ଦ ଗୋଲାରୀ, ଧବୁଲୁ ଗୁଣ୍ଟା, ଜ୍ଞାନ ଗୋଲାରୀ, ଧନ ବଡନାୟକ, ତିଲୋତମା ଗୋଲାରୀ, ଲକ୍ଷ୍ମୀ ଗୋଲାରୀ, ସୀତାମା ଗୁଣ୍ଟାଙ୍କ ସମେତ ସମସ୍ତେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ଏ ସମ୍ପର୍କରେ ଟନେଲକ୍ୟାମ୍ପ ପଞ୍ଚାୟତର ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଭୂୟାଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଚଳ ହୋଇ ରହିଥିବା ପ୍ରକଳ୍ପ ଗୁଡିକର ମେଣ୍ଟେନାନ୍ସ ଗ୍ରାମ୍ୟ ଜଳ ପରିମଳ ବିଭାଗ କରିବା କଥା କିନ୍ତୁ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ କାହାରି ଫୋନ ଗ୍ରହଣ କରୁନାହାନ୍ତି। ତେବେ ଏ ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଯାଇଛି। ଗ୍ରାମର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକୁ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.